/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710339201.jpg)
SCB Medical
ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ। ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ନିଜେ ଅଗ୍ନିଶମ ଡିଜି ଓ ଏସସିବି କର୍ତ୍ତୃପକ୍ଷ ହାଇକୋର୍ଟରେ ବ୍ୟକ୍ତିଗତ ହାଜିରା ହେବା ପରେ ପଦାକୁ ଆସିଛି ଗୁମର। ସୂଚନା ଅନୁସାରେ ମେଡିକାଲର ମୋଟ୍ ୮୭ଟି ବିଲଡିଂରୁ ୬୪ଟି କୋଠାର ଅଗ୍ନି ନିରାପତ୍ତା ନାହିଁ। ତେଣୁ ଏଥି ପାଇଁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା କୋର୍ଟଙ୍କୁ ଦର୍ଶାଯାଇଛି। ରାଜ୍ୟର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ପୁଣି ଅଗ୍ନି ନିରାପତ୍ତା ନିୟମ ଫୁ କୁ ନେଇ ଉଠିଛି ଅଙ୍ଗୁଳି।
ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ? ଏମିତିକା ପ୍ରଶ୍ନ ସମସ୍ତଙ୍କର ମନରେ। ଏତେ ବଡ଼ ମେଡିକାଲର ହାତଗଣତି ମାତ୍ର ୭ଟି କୋଠାକୁ ଛାଡ଼ିଦେଲେ ବାକି ଅନ୍ୟ କେଉଁଠି ନାହିଁ ଫାୟାର ସେଫଟି ବ୍ୟବସ୍ଥା। ବେସରକାରୀ ହସ୍ପିଟାଲରେ ଏ ବ୍ୟବସ୍ଥା ନ ଥିଲେ ଲାଇସେନ୍ସ ମିଳୁନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏସସିବିକୁ ଏ ସୁବିଧା ଯୋଗାଇ ପାରୁନାହାଁନ୍ତି କାହିଁକି ବୋଲି ପ୍ରଶ୍ନ ଉଠିଛି। ଆଉ ଏବେ ଏସସିବି ମେଡିକାଲରେ ଅଗ୍ନି ନିରାପତ୍ତା ସମ୍ପର୍କିତ ମାମଲା ହାଇକୋର୍ଟକୁ ଆସିବା ପରେ ଫିଟୁଛି ଗୋଟିକ ପରେ ଗୋଟିଏ ଗୁମର।
ଆଜି ହାଇକୋର୍ଟରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଓ ଆରଏଣ୍ଡବି ଅଧିକ୍ଷଣ ଯନ୍ତ୍ରୀ ପିକେ ମାଝୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ତା ସହ ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଅଗ୍ନିଶମ ଡିଜି ରିପୋର୍ଟ ବି ଦାଖଲ କରିଛନ୍ତି। ଫାୟାର ଆଲାର୍ମ ଏବଂ ଏକଷ୍ଟିଙ୍ଗଉଇସର କାମ ୩ ମାସ ମଧ୍ୟରେ ଓ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକୀୟ ଅତିରିକ୍ତ ନିର୍ମାଣ ୬ ମାସ ଭିତରେ ସାରିବାକୁ ସମୟ ନେଇଛନ୍ତି। ଏସସିବି ମେଡିକାଲର ମୋଟ୍ ୮୭ଟି ବିଲଡିଂରୁ ୬୪ଟି କୋଠାର ଅଗ୍ନି ନିରାପତ୍ତା ପାଇଁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ସହ କାମର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମାନ୍ୟବର କୋର୍ଟ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)