/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653239465.jpg)
କଟକ ଝିଅ ସୁଶ୍ରୀ କର
କଠିନ ପରିଶ୍ରମ ସଫଳତାର ଚାବିକାଠି। ସେ ଯେ କୌଣସି ଦିଗରେ ହେଉ ନାଁ କାହିଁକି । ଏହି ଉକ୍ତି ସମସ୍ତଙ୍କ ପାଇଁ ସମାନ। ତେବେ ଏହି ସଫଳତାର ପରିସର ମଧ୍ୟରେ ଏବେ ନିଜର ନାଁ କୁ ଯୋଡିଛନ୍ତି କଟକ ଝିଅ ସୁଶ୍ରୀ କର। ଚିତ୍ରକଳାକୁ ନିଜ ଜୀବନରେ ଲକ୍ଷ୍ୟ ସଜେଇ ସେ ଏବେ କଟକରେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ। ତେବେ ଏହି ସଫଳତା କୁ ନେଇ ଏବେ ସେ ପରିବାର ପୋଷଣ ଦିଗରେ ଆଗେଇ ଆସିଛନ୍ତି ସୁଶ୍ରୀ।
ଲକଡାଉନ ଆଣିଦେଲା ସଫଳତା। ଗ୍ରାଜୁଏଟ ପରେ ଓପିଏସି ପାଇଁ ପ୍ରସ୍ତୁତ ହେବା ସମୟରେ ଆରମ୍ଭ ହୋଇଥିଲା କୋଭିଡ କାଳ। ଯେତେବେଳେ ଦେଶର ଚାରିଆଡ଼େ ଲକଡାଉନ, ସଟଡାଉନ ଜାରି ରହିଥିଲା ସେତେବେଳେ କଟକ ଝିଅ ସୁଶ୍ରୀ ଘରେ ରହି କିଛି ନୂଆ କରିବାର ସ୍ୱପ୍ନ ଦେଖିଥିଲେ। ଆଉ ୟୁଟୁବ ହିଁ ଦେଖାଇଥିଲା ମାର୍ଗ। ଏହି ସମୟରେ ଡ଼ଟ ମଣ୍ଡଲା ଚିତ୍ରକଳାକୁ ପାଥେୟ କରି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ସୁଶ୍ରୀ।
ଆଉ ଆଜିର ଦିନରେ ସେ ଜଣେ ସଫଳ ଅନଲାଇନ ବ୍ୟବସାୟୀ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଶିବ,ହନୁମାନ, ଜଗନ୍ନାଥ ଭଳି ଅନେକ ଭଗବାନଙ୍କ ଡଟ ମଣ୍ଡଲା ଶୈଳୀରେ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଛାଡିଲା ପରେ ଲୋକମାନେ କରିଥିଲେ ପସନ୍ଦ । ଆଉ ଅର୍ଡର ପାଇଁ ଛୁଟିଥିଲା ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛି ବହୁ ଅର୍ଡର। ଯାହାକୁ ନେଇ ସୁଶ୍ରୀ ଓ ତାଙ୍କ ପରିବାର ବେଶ ଖୁସ।
ଅନ୍ୟପଟେ ସୁଶ୍ରୀଙ୍କ ଚିତ୍ର କରିବା ନିଶା ପିଲାବେଳୁ ରହିଛି। ପାଠ ପଢିବା ସହ ଚିତ୍ର ଆଙ୍କିବା ତାଙ୍କର ଏକପ୍ରକାର ଅଭ୍ୟାସ। ଜୀବନରେ କିଛି ନୂଆ କରିବା ପାଇଁ ସର୍ବଦା ସେ ଚେଷ୍ଟିତ ରହିଥାନ୍ତି । ଆଉ ଏହାରି ମଧ୍ୟରେ ଲକଡାଉନ ତାଙ୍କୁ ଦେଇଛି ଏହି ଅପୂର୍ବ ସଫଳତା। ଏହି ଗୌରବ ଆଣିବା ପଛରେ ପରିବାରର ରହିଛି ବଡ଼ ସମର୍ଥନ। ଯାହା ଆଗମୀ ଦିନରେ ମଧ୍ୟ ବଳବତ୍ତର ରହିବା ନେଇ କହିଛନ୍ତି ସୁଶ୍ରୀଙ୍କ ମାଆ।
ତେବେ ଲକଡାଉନ କେତେ ଜଣଙ୍କ ପାଇଁ ଅଭିଶାପ ପାଲଟିଥିଲା ବେଳେ କିନ୍ତୁ ସୁଶ୍ରୀ କରଙ୍କ ପାଇଁ ପାଲଟିଥିଲା ଏକ ବଡ଼ ସୁଯୋଗ। ଯାହାକୁ ନେଇ ସେ ଆଗମୀ ଦିନରେ ଏକ ବଡ଼ ବ୍ୟବସାୟ କରିବା ନେଇ ଆଶା ରଖିଛନ୍ତି।
ରିପୋର୍ଟ: ବିଶ୍ୱଜିତ୍ ଆଚାର୍ଯ୍ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)