• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଜାଗର । କେତେ ଉପାସନା, କେତେ ଆରାଧନା । କିଏ ପରିବାରର ସୁଖ ମନାସି ନିର୍ଜଳା ଉପବାସ କରୁଛି ତ କିଏ ହସଖୁସିର ସଂସାର ପାଇଁ ଶିବ ଆରାଧନାରେ ନିମଗ୍ନ ରହୁଛି । ଏଭଳି ଏକ ବେଳାରେ ଏବଂ ଏଭଳି ଜଣେ ପତ୍ନୀର ଆଖି ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଯେ କୁମ୍ଭୀର ଭିଡ଼ି ମାରିଦେବ, ଭାବିଲେ ମନ ବିଚଳିତ ହୋଇଯାଉଛି ।

ବୁକୁଫଟା କାନ୍ଦରେ ଫାଟିପଡୁଛି ନଈ ବନ୍ଧ...କୋହ ଆଉ ଲୁହରେ ବତୁରିଯାଉଛି ପରିବା କ୍ଷେତ...କିଏ ବୁଝାଇବ, କିଏ ସମବେଦନା ଜଣାଇ ବୋଲ ମାନୁନଥିବା ଲୁହକୁ ରୋକିପାରିବ । ବୋଧହୁଏ ସମ୍ଭବ ନୁହଁ । କାରଣ ରୋଜଗାରିଆ ପୁଅକୁ ଯେତେବେଳେ ଭିଡ଼ି ମାରିଦେଇଛି ମଣିଷ ଖିଆ କୁମ୍ଭୀର, ଆଉ ବା କ’ଣ ଅଛି ଯେ ଧୈର୍ଯ୍ୟ ରହିବ ।

ଜାଗର ଭଳି ଦିନରେ ପତ୍ନୀ ମଥାରୁ ଲିଭିଯାଇଛି ସିନ୍ଦୁର, ଉଜୁଡ଼ିଯାଇଛି ସୁନାର ସଂସାର । କାରଣ ପତ୍ନୀ ସାମ୍ନାରେ ସ୍ୱାମୀଙ୍କୁ ଭିଡ଼ି ନେଇ ମାରି ଦେଇଛି କୁମ୍ଭୀର । ଘଟଣା ପରଠୁ ସ୍ତବ୍ଧ କେନ୍ଦ୍ରାପଡା ରାଜନଗର ଥାନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁ । ସ୍ଥାନୀୟ ହଂସୁଆ ନଦୀର ପାଣି ଭିତରେ ପ୍ରାଣଘାତୀ କୁମ୍ଭୀର ଜୀବନ ନେଇଛି ଦକ୍ଷିଣଭେଡା ଗାଁର ନିମାଇଁ ମଳିକଙ୍କର ।

ସମୟ ସକାଳ ପ୍ରାୟ ୮ଟା । ଆଜି ଜାଗର ଥିବାରୁ ନିର୍ଜଳା ଉପବାସରେ ଥିବା ପତ୍ନୀ ରେଖା ସ୍ୱାମୀ ନିମାଇଁଙ୍କ ସହ ଯାଇଥାନ୍ତେ ଶିବ ମନ୍ଦିର । ଆଉ ପ୍ରଭୁ ଭୋଳାନାଥଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା ସହ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଶିବ ମନ୍ଦିର ଯିବେ ବୋଲି ସକାଳୁ ସକାଳୁ ଆସିଥିଲେ ଚାଷ ଜମିକୁ ।

ଆଉ ହଂସୁଆ ନଦୀ ମୁହାଣରୁ ସ୍ୱାମୀ ଏବଂ ଦେଢ଼ଶୂରଙ୍କ ସହ ମିଶି ପାଣି ମଡ଼ାଉଥିବାବେଳେ ସ୍ୱାମୀ ନିମାଇଁଙ୍କୁ ଆଖି ସାମ୍ନାରେ ପାଣି ଭିତରକୁ ଭିଡ଼ିନେଇଗଲା କୁମ୍ଭୀର, ଆଉ କ୍ଷତାକ୍ତ କରି ମାରିଦେଲା ପାଣି ଭିତରେ । ଦୀର୍ଘ ସମୟର ଖୋଜା ଖୋଜି ପରେ ଜାଲରୁ ମିଳିଥିଲା ନିମାଇଁଙ୍କ ମରଶରୀର ।

କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀରର ଏଭଳି ନରସଂହାର ନୂଆ ନୁହେଁ । ସମୁଦ୍ରକୁ ସଂଯୋଗ କରୁଥିବା ନଦୀ, ନାଳ ସମେତ ପୋଖରୀ ତୁଠରେ ଜାରି ରହିଛି କୁମ୍ଭୀର ଉପଦ୍ରବ । ବନବିଭାଗର ତଥ୍ୟ କହୁଛି, ଗତ ୨ ବର୍ଷରେ ୧୦ ଜଣଙ୍କ ଜୀବନ ଗଲାଣି କୁମ୍ଭୀର ମୁହଁରେ । ଏଭଳି ଭାବେ ୧୦ ବର୍ଷରେ ୩୫ରୁ ଅଧିକଙ୍କ ପ୍ରାଣହାନୀ ହୋଇଛି ଆଉ ମରଣ ମୁହଁରୁ ବର୍ତ୍ତିଯାଇଛନ୍ତି ଶହ ଶହ ଲୋକ ।

ବଉଳା କୁମ୍ଭୀର ବଂଶ ରକ୍ଷା ପାଇଁ ଜାତିସଂଘ ଓ ଭାରତ ସରକାରଙ୍କ ମିଳିତ ପ୍ରୟାସରେ ୧୯୭୫ରେ ଡାଙ୍ଗମାଳରେ ସ୍ଥାପନ କରାଯାଇଥିଲା କୁମ୍ଭୀର ପ୍ରଜନନ କେନ୍ଦ୍ର । ଏହା ସଫଳ ହେବା ପରେ ଜିଲ୍ଲାର ଜଳାଶୟ ଗୁଡ଼ିକରେ ଏବେ ହାଉଜାଉ କୁମ୍ଭୀର । କିନ୍ତୁ, ଲୋକଙ୍କୁ ନା ସେଭଳି ସଚେତନ କରାଯାଉଛି ନା ସେହି ଦିଗରେ ପ୍ରଭାବୀ ପଦକ୍ଷେପ ନିଆଯାଉଛି ।

ଅନେକ ସ୍ଥାନରେ ସଚେତନତା ପାଇଁ ବନବିଭାଗ ପକ୍ଷରୁ ପୋଷ୍ଟର ବ୍ୟାନର କିମ୍ବା ତାରବାଡ଼ର ବ୍ୟବସ୍ଥା ନଥିବା ଲୋକେ ଅଭିଯୋଗ କରିଛନ୍ତି । କୁମ୍ଭୀର-ମଣିଷ ଲଢ଼େଇ ଭିତରେ କେବେ ମଣିଷ ତ କେବେ କୁମ୍ଭୀର ବଳି ପଡୁଛି । ଆଉ କେତେ ଅଘଟଣ ପରେ ପଦକ୍ଷେପ ନେବ ବନବିଭାଗ, ତାହା ବଡ଼ ପ୍ରଶ୍ନ ।

  • Reported by:
  • MANOJ SWAIN