• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓମ୍ଫେଡ୍‌ରେ ହୋଇଥିବା ଦୁର୍ନୀତି ଓ ଆର୍ଥିକ ଅନିୟମିତତାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ୩ ମାସ ମଧ୍ୟରେ ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଓମ୍ଫେଡ୍‌ରେ ହୋଇଥିବା ଆର୍ଥିକ ହେରଫେରକୁ ନେଇ ଏକ ମାମଲାର ଶୁଣାଣୀ କରି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।

ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ହୋଇଥିବା ଏକ ସ୍ୱତନ୍ତ୍ର ଅଡିଟ୍‌ରେ ଧରା ପଡିଥିଲା ଏହି ଦୁର୍ନୀତି । ଆଉ ଆର୍ଥିକ ହେରଫେର ବିଷୟ ୨୦୧୩-୧୪ ଠାରୁ ୨୦୧୭-୧୮ ମଧ୍ୟରେ ପ୍ରାୟ ୨୦୭ କୋଟି ୪୪ ଲକ୍ଷ ଟଙ୍କାର ଆର୍ଥିକ ହେରଫେର୍ ଏବଂ ଅନିୟମିତତା ହୋଇଥିବା ଅଡିଟ୍ ରିପୋର୍ଟରେ ରହିଛି । ଏମିତି କି ପ୍ରାୟ ୩୦ କୋଟି ୬୫ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ମଧ୍ୟ ଆଦାୟ କରିବାକୁ ସୁପାରିଶ ହୋଇଛି ।

ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ଏହି ଟଙ୍କାକୁ ଡାଇଭର୍ଟ କରି ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଗୋଟିଏ କାମ ପାଇଁ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟ କାମର ୟୁସି ଦାଖଲ ହୋଇଥିବା ମଧ୍ୟ ଅଡିଟ୍‌ ରିପୋର୍ଟରେ ସାମ୍ନାକୁ ଆସିଛି । ତେବେ ଦୀର୍ଘ ଦିନ ଧରି ଏହି ସ୍ୱତନ୍ତ୍ର ଅଡିଟ ରିପୋର୍ଟ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ହେବା ପରେ ଏହି ରିପୋର୍ଟକୁ ନେଇ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ଆଇନଜୀବୀ ପ୍ରିୟଦର୍ଶୀ ପଟ୍ଟନାୟକ । ମାମଲାକୁ ଗୁରୁତ୍ୱର ସହ ନେଇ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ତେବେ ଏନେଇ ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।