• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୌମ୍ୟଙ୍କୁ ମହଙ୍ଗା ପଡିଲା କି ଫାଇଭ୍-ଟି ସଚିବ ଓ ନବୀନଙ୍କୁ ନିଶାନା ? ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମ୍ବାଦ ଉପରେ ହୋଇଛି କ୍ରାଇମବ୍ରାଞ୍ଚ EOWର ରେଡ୍ । ସେପଟେ ଜଣେ ସଚିବଙ୍କୁ ସୁରକ୍ଷା ଦେବାରେ ପୂରା ସରକାରୀ କଳ ଆମ ପଛରେ ଲାଗିଥିବା ସୌମ୍ୟଙ୍କ ଝିଅ ସୋସିଆଲ୍ ମିଡିଆରେ ଲେଖିଛନ୍ତି । ବରିଷ୍ଠ ସାମ୍ବାଦିକମାନେ କହିଛନ୍ତି, ଆଗରୁ ଓଟିଭି, ଆଉ ଏବେ ସମ୍ବାଦ, ଏଭଳି ସରକାରୀ ଆକ୍ରୋଶ ଗଣମାଧ୍ୟମ ଓ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।

‘ସମ୍ବାଦ’ ଅଫିସ୍‌ରେ କ୍ରାଇମବ୍ରାଞ୍ଚ EOW ଟିମ୍‌ର ରେଡ୍ । HR ହେଡ୍ ବୈଜୟନ୍ତୀ କରଙ୍କୁ ଜେରା । ଆକାଉଣ୍ଟସ୍ ସେକ୍ସନରେ ବି ଖୋଳତାଡ଼ । ନିଜ କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ ଠକେଇ ଅଭିଯୋଗ ମାମଲାରେ ସମ୍ବାଦ ଅଫିସ୍‌ରେ ଆଜି ଚଢାଉ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ଯେଉଁଥିରେ ୩ଟି ଟିମ୍‌ରେ ସାମିଲ ହୋଇଥିଲେ ୧୨ ଅଫିସରଙ୍କ ସହ କମିଶନରେଟ୍ ପୋଲିସ । ଏହାପୂର୍ବରୁ ଗତକାଲି ସଂଧ୍ୟାରେ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ବି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ରେଡ୍ ଚାଲିଥିଲେ ବି ଇଓଡବ୍ୟୁ ଟିମ୍ କି ତଥ୍ୟ ପାଇଛି ? ଅଭିଯୋଗର ସତ୍ୟତା କେତେ ? ତଦନ୍ତ ଚାଲିଥିବା କହି ସେ ନେଇ କିନ୍ତୁ କିଛି ସୂଚନା ଦେଇନି । 

ଏଠି ପ୍ରଶ୍ନ- ୨୦୧୫ର ଲୋନ୍ ଠକେଇ ମାମଲାର ତନାଘନା ହଠାତ୍ ୨୦୨୩ରେ କାହିଁକି ? କ’ଣ ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସଂପାଦକୀୟରେ ଫାଇଭ୍-ଟି ସଚିବଙ୍କୁ କରିଥିବା ନିଶାନା ଓ ଆଲେଖ୍ୟରେ ନବୀନଙ୍କ ଲୋକପ୍ରିୟତା ହ୍ରାସ କଥା ଉଖାରିବା ପଡ଼ିଗଲା କି ମହଙ୍ଗା ? ଯେବେ ସୌମ୍ୟ ବିଜେଡିରେ ମିଶି ସାଂସଦ ଥିଲେ ଓ ତାପରେ ବିଧାୟକ ହେଲେ, ସେତେ ପର୍ଯ୍ୟନ୍ତ ତାଙ୍କର ସବୁ ଆଚରଣ-ଉଚ୍ଚାରଣ ଠିକ୍ ଠାକ୍ ଥିଲା ।

ହେଲେ ଯେବେଠୁ ଆମଘରର ହାଲଚାଲରେ ଯେମିତିକି ଗତ ମାସ ୧୮ରେ ନିଜ ଜନ୍ମଦିନର ଅନୁଚିନ୍ତାରେ- ମନ୍ତ୍ରୀ ବଡ଼ କି ସଚିବ ବଡ଼ ବୋଲି ପଚାରିଥିବା ପ୍ରଶ୍ନ ଏବଂ ଅଗଷ୍ଟ ୨୭ରେ ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖା ଲେଖିଲେ, ଆକ୍ସନ ଆରମ୍ଭ ହୋଇଗଲା । ଗଣମାଧ୍ୟମରେ ଫାଇଭ-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପରଠୁ ସମ୍ବାଦର କେଳେଙ୍କାରୀ ହଠାତ୍ ସରକାରଙ୍କ ନଜରକୁ ଆସିଗଲା କି ?

ସେପଟେ ଲୋନ୍ ଠକେଇ ଅଭିଯୋଗ ସଂପର୍କରେ ସମ୍ବାଦ କର୍ତ୍ତୃପକ୍ଷ ନା କୌଣସି ପ୍ରତିକ୍ରିୟା ରଖୁଛନ୍ତି ନା ସଂସ୍ଥା ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ କୌଣସି ସ୍ପଷ୍ଟୀକରଣ ଦିଆଯାଉଛି । ସେପଟେ କିନ୍ତୁ ସୌମ୍ୟରଂଜନଙ୍କ ଝିଅ ତନୟା ପଟ୍ଟନାୟକ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍-Xରେ ଲେଖିଛନ୍ତି, ଏ ସରକାର ଆମକୁ ଚୁପ୍ କରେଇବାକୁ ସମ୍ପୂର୍ଣ୍ଣ ଜୋର ଲଗେଇ ଦେଇଛି ।

ଯାହା ସବୁ ଘଟିଛି ଓ ଯାହା ସବୁ ଆଗକୁ ଘଟିବ ବୋଧହୁଏ ଓଡ଼ିଶା ଇତିହାସରେ ଆଗରୁ କେବେବି ହେଇନଥିବ । ସେ ଆହୁରି ମଧ୍ୟ ଲେଖିଛନ୍ତି, ଆମ ପଛରେ ଏବେ ପୂରା ପ୍ରଶାସନ ଲାଗିଛି, ପୁରା ସରକାରୀ କଳ ଲାଗିଛି । କେବଳ ଜଣେ ସଚିବଙ୍କୁ ସୁରକ୍ଷା ଦେବା ପାଇଁ । ସେପଟେ ସମ୍ବାଦ ଉପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଚଢଉକୁ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ । କହିଛନ୍ତି ଏହା ସମୁଦାୟ ଗଣମାଧ୍ୟମ ଦୁନିଆ ପାଇଁ ଲଜ୍ଜାଜନକ କଥା। ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।