/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699846858.jpg)
Craftsmen in Subarnapur designs saree on Diwali theme
ଅଜା ବାହାବେ... ଅନ୍ଧାରେ ଅନ୍ଧାରେ ଆବେ, ଉଜଲେ ଉଜଲେ ଜାବେ... ମହାପ୍ରସାଦ ଖାବେ । ଦୀପାବଳିରେ ଏମିତି କହି ବୁଣାକାରମାନେ ନିଜ ପୂର୍ବପୁରୁଷଙ୍କୁ ଡାକିଥାନ୍ତି । ଏହି ନିଆରା ପରମ୍ପରାକୁ ବାନ୍ଧ ଶାଢ଼ୀରେ ରୂପ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ବାନ୍ଧଶିଳ୍ପୀ ମନୋଜ ମେହେର ।
ମାଲବାରି ସିଲ୍କ ସୁତାରେ ସେ ଗୋଟେ ଶାଢ଼ୀ ତିଆରି କରିଛନ୍ତି । ଶାଢ଼ୀ ବୁଣାରେ ଯେଉଁ ସବୁ ସାମଗ୍ରୀ ବ୍ୟବହାର ହୁଏ ଯଥା - ମଙ୍ଗା, ଚହଟା, ଅସାରି, କମଡ଼ା, ନରି ଓ ଘରେ ତିଆରି ହେଉଥିବା ମଣ୍ଡା ପିଠା ମଧ୍ୟ ସ୍ଥାନ ପାଇଛି ଏହି ଶାଢ଼ୀରେ । ପରମ୍ପରା ଓ କାରୀଗରିର ନିଆରା ସମନ୍ୱୟ । ଭୁଲିଆ ସଂପ୍ରଦାୟର ଏକ ସୁନ୍ଦର ପରମ୍ପରାକୁ ବାନ୍ଧ ଶାଢ଼ୀରେ ଉତାରିଛନ୍ତି ବିଶିଷ୍ଟ ବୁଣାକାର ମନୋଜ ମେହେର । ଖାସ୍ କରି ଦିପାବଳୀକୁ ଆଖି ଆଗରେ ରଖି ସେ ବୁଣିଛନ୍ତି ଦୀପାବଳି ଶାଢ଼ୀ।
ବାନ୍ଧ କଳାର ଜିଲ୍ଲା ସୁବର୍ଣ୍ଣପୁର । ଭୁଲିଆ ସମ୍ପ୍ରଦାୟର ଲୋକେ ମଙ୍ଗାରେ ଶାଢ଼ୀ ବୁଣିଥାନ୍ତି । ବର୍ଷକ ଗୋଟିଏ ଦିନ ଦୀପାବଳିରେ ମଙ୍ଗା ବନ୍ଦ ରହେ। ଏହି ଦିନ ଧୁଆ ଧୋଇ କରି ମଙ୍ଗାଶାଳରେ ପୂଜା ହୋଇଥାଏ । ସଂଧ୍ୟାରେ ପରିବାରର ସମସ୍ତେ ଏକାଠି ହୋଇ ଏହି ମଙ୍ଗାଶାଳରେ ପୂର୍ବପୁରୁଷଙ୍କୁ ଡାକନ୍ତି ।
ସମୟ ଅନୁସାରେ କାଠର ମଙ୍ଗା ବଦଳରେ ଲୁହାର ମଙ୍ଗା ଆସିଲାଣି । ତେଣୁ ଆଗ ପରି ମଙ୍ଗାକୁ ଖୋଲିବା ପରେ ଧୁଆ ପୋଛା କରି ପୂଜା କରା ହେଉନି । ତେଣୁ ଭୁଲିଆ ସଂପ୍ରଦାୟର ଏହି ନିଆରା ପରମ୍ପରାକୁ ଯେମିତି ସେମାନେ ଭୁଲି ନ ଯାଆନ୍ତି, ତାକୁ ବାନ୍ଧ କଳାରେ ରୂପ ଦେବାର ପରିକଳ୍ପନା କରିଥିଲେ ଗୁରୁ ପ୍ରଫୁଲ୍ଲ ମେହେର । ତାକୁ କାମରେ କରିକି ଦେଖାଇଛନ୍ତି ମନୋଜ ।
ବାନ୍ଧକଳାର ସୂକ୍ଷ୍ମ କାରୁକାର୍ଯ୍ୟରେ ଏହି ଶାଢ଼ୀ ବୁଣିବାକୁ ଲାଗିଥିଲା ପ୍ରାୟେ ମାସେ । ପୁରା ପରିବାର ଏଥିରେ ମନୋଜଙ୍କୁ ସହଯୋଗ କରିଥିଲେ । ମାର୍କେଟରେ ଏହି ଶାଢ଼ୀର ଦାମ୍ ହେଉଛି ୨୭ ହଜାର ଟଙ୍କା । ଏହି ଶାଢ଼ୀ ପାଇଁ ରାଜ୍ୟ ହସ୍ତତନ୍ତ ବିଭାଗ ଦ୍ବାରା ମନୋଜ ପୁରସ୍କୃତ ମଧ୍ୟ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)