• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ପୁଣି କଡ଼ ଲେଉଟେଇଛି କରୋନା । ବେଶ୍ କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମଧ୍ୟ ଆଜି ଗୋଟିଏ ଦିନରେ ୭୫୨ ନୂଆ ପଜିଟିଭ୍ ଚିହ୍ନଟ ସାଙ୍ଗକୁ ୪ ଜଣଙ୍କ ମୃତ୍ୟୁ, ଚିନ୍ତା ବଢ଼ାଇଛି । ଏଭଳି ସ୍ଥିତିରେ ଆଗୁଆ ପଦକ୍ଷେପ ସ୍ୱରୂପ ବୟସ୍କ ଓ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଓଡ଼ିଶାକୁ ପୁଣି ଫେରିଲା କରୋନା । ତା’ ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍ ହୋଇଛି ଡାଟା । ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଶେଷ ଥର ପାଇଁ ରାଜ୍ୟରେ ଡିସେମ୍ବର ୩ ତାରିଖରେ ଗୋଟିଏ କୋଭିଡ୍ ମାମଲା ଚିହ୍ନଟ ହୋଇଥିବାରୁ ଏହାର ୨୦ ଦିନରେ ଚିହ୍ନଟ ହୋଇଛି ନୂଆ ରୋଗୀ ।

ହେଲେ ସଂପୃକ୍ତ କୋଭିଡ୍ ଆକ୍ରାନ୍ତଙ୍କ ସଂପର୍କରେ ସବିଶେଷ ତଥ୍ୟ ଜଣା ପଡ଼ି ନଥିଲେ ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପର ରାଜ୍ୟ ସରକାର । ସତର୍କ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଭଳି ବ୍ୟକ୍ତି ଜନଗହଳି ସ୍ଥାନକୁ ନଯିବା ଏବଂ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ଏପଟେ ଦେଶରେ କିନ୍ତୁ ଚିନ୍ତା ବଢ଼ାଇଲାଣି କରୋନାର ଊର୍ଦ୍ଧ୍ବଗତି । ସ୍ଥିତି ଏମିତି ଯେ, ଆଜି ଗୋଟିଏ ଦିନରେ ଦେଶରେ ଚିହ୍ନଟ ହୋଇଛି ୭୫୨ କରୋନା ପଜିଟିଭ୍ । ଯାହାକି ଦିନିକିଆ ସଂକ୍ରମଣରେ ମେ’ ୨୧ ପରେ ସର୍ବାଧିକ ମାମଲା । ୭୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସହ ଦେଶରେ ଆକ୍ଟିଭ୍ କେଶ୍ ସଂଖ୍ୟା ବି ୩୪୨୦କୁ ବଢ଼ିଛି । ସବୁଠୁ ବଡ଼ କଥା ହେଉଛି ବିଗତ ୨୪ ଘଣ୍ଟାରେ ୪ ଜଣଙ୍କର ମୃତ୍ୟୁ ବି ହୋଇଛି । ହଟ୍‌ସ୍ପଟ୍ ପାଲଟିଛି କେରଳ କର୍ଣ୍ଣାଟକ ଭଳି ରାଜ୍ୟ । କେରଳରେ ବିଗତ ୨୪ ଘଣ୍ଟାରେ ୫୬୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ଆଗକୁ ବଡ଼ ଦିନ ଓ ନୂଆବର୍ଷ ଆସୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ସେହିପରି ଗୋଆରେ ୨୦ ଜଣଙ୍କ ସହ କୋଭିଡ-୧୯ର ସବ ଭ୍ୟାରିଆଣ୍ଟ JN.1ରେ ଏପର୍ଯ୍ୟନ୍ତ ୨୨ ଜଣ ଚିହ୍ନଟ ହେବା ଯୋଗୁଁ ଦେଶ ବ୍ୟାପୀ କୋଭିଡ୍‌କୁ ନେଇ ସତର୍କତା ବଢ଼ିଛି । ବିଶେଷ କରି ଓଡ଼ିଶାରେ କୋଭିଡ୍ ପୁଣି କଡ଼ ଲେଉଟେଇବା ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ତେବେ ବିଶେଷଜ୍ଞଙ୍କ କହିବା କଥା, JN.1 ଭ୍ୟାରିଆଣ୍ଟ ଦ୍ରୁତ ସଂକ୍ରାମକ ହେଲେ ବି ଏଥିରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା କମ୍ । ତେଣୁ ସମସ୍ତେ ମାସ୍କ ନ ପିନ୍ଧି କେବଳ କାଶ, ଥଣ୍ଡା ଥିବା ବ୍ୟକ୍ତି ଏବଂ ବୟସ୍କ ଓ କୋମର୍ବିଡିଟି ଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଉଚିତ୍ ବୋଲି କହିଛନ୍ତି ବିଶେଷଜ୍ଞ ।

ଡବ୍ଲୁଏଚ୍ଓର ତଥ୍ୟ ଅନୁଯାୟୀ ବିଗତ ୪ ସପ୍ତାହ ଭିତରେ କୋଭିଡ୍ ସଂକ୍ରମଣରେ ବିଶ୍ୱବ୍ୟାପୀ ୫୨ ପ୍ରତିଶତ ବୃଦ୍ଧି ଘଟିଛି । ଭାରତରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଥିବାରୁ କିଛି ଦିନ ତଳେ ସ୍ଥିତି ପ୍ରତି ସତର୍କ ନଜର ରଖିବାକୁ ସ୍ଥିତିର ସମୀକ୍ଷା ପରେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

  • Reported by:
  • BIBARTAN PANDA