• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନାର କରାଳ ଛାୟା ଭିତରେ ବିଦାୟ ନେଇଗଲା ବର୍ଷ-୨୦୨୧ । ରାତି ପାହିଲେ ଆସିବ ନୂଆବର୍ଷ-୨୦୨୨ । ଆଶା କରାଯାଉଥିଲା ଅନ୍ତତଃ ଏଥରକ ଖୁସି ଆଉ ମଉଜ ପାଇଁ ମଉକା ଆସିବ । ହେଲେ ଓମିକ୍ରନ୍‌ର ନାଲି ଆଖି ଦେଖି ସରକାରଙ୍କ କଟକଣା ଯୋଗୁ ସବୁକିଛି ମିଳାଇଗଲା ପାଣି ଫୋଟକା ଭଳି । କଟକର OCA କ୍ଲବରେ କାଉ କୋଉଲି ଉଡ଼ୁନାହାଁନ୍ତି । ଏମିତିକି ୟୁନିୟନ୍ କ୍ଲବରେ ବି ଖାଁ ଖାଁ ଚତୁର୍ଦ୍ଦିଗ ।

ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ । କୌଣସି ସ୍ଥାନରେ ଏଥର ଜିରୋ ନାଇଟ୍ ସେଲିବ୍ରେସନ୍‌ର ଆୟୋଜନ ନାହିଁ । ଗାଇଡ୍‌ଲାଇନ୍ ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ତାସହ ଆଜି ଏବଂ ଆସନ୍ତା ୨ ଦିନ ଧରି ଭୁବନେଶ୍ୱର ସାରା ଚଢ଼ାଉକୁ ଜୋରଦାର କରାଯିବ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ।

ଦିନଥିଲା ନୂଆବର୍ଷ ଆସିଲେ ବେଳାଭୂମିରେ ଭାଙ୍ଗୁଥିଲା ଜନସମୁଦ୍ରର ଲହଡ଼ି । ଚଳଚଞ୍ଚଳ ହେଉଥିଲା ପର୍ଯ୍ୟଟନସ୍ଥଳୀ । ଆଶିର୍ବାଦ ପାଇଁ ବିଭିନ୍ନ ମନ୍ଦିରରେ ଜମୁଥିଲା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଗହଳି । ତେବେ ଗତବର୍ଷ ଭଳି ଏଥର ବି ଜାନୁଆରୀ ଗାଇଡଲାଇନ୍ସ ଜାରି କରି କଡ଼ା କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଫଳରେ ଆଜିଠୁ ଆସନ୍ତା ୨ ତାରିଖ ଯାଏଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ ।

ସେପଟେ ବ୍ରହ୍ମଗିରିର ଅଲାରନାଥ, ବାଲିହରଚଣ୍ଡି, ଚିଲିକା କାଳିଜାଇ ମନ୍ଦିର, ମୟୁରଭଞ୍ଜର ଦେବକୁଣ୍ଡ ଆଦି ସ୍ଥାନରେ ନୂଆବର୍ଷ ପାଇଁ ସମ୍ଭାବ୍ୟ ଭିଡ଼କୁ ଦେଖି ଲଗାଯାଇଛି ଧାରା ୧୪୪ । ଫଳରେ ଆଜି ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ନିରାଶ ହୋଇ ଫେରିଯାଇଛନ୍ତି । ସେହିପରି କୋଣାର୍କ ସୂର୍ଯ୍ୟମନ୍ଦିର, ଢେଙ୍କାନାଳର ସପ୍ତଶଯ୍ୟା, ଗଞ୍ଜାମର ତପ୍ତପାଣି ଉଷ୍ମପ୍ରସବଣ ସମେତ ରାଜ୍ୟର ବହୁ ପର୍ଯ୍ୟଟନସ୍ଥଳୀରେ କଟକଣା ଯୋଗୁ ଖାଁ ଖାଁ ରହିଛି ପରିବେଶ ।

କେବଳ ହୋଟେଲ୍ କି ରେଷ୍ଟୁରାଣ୍ଟ ନୁହେଁ, ମନ୍ଦିର କି ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ବି ନୁହେଁ । ସରକାରୀ ଅଫିସ୍‌ରେ ନୂଆବର୍ଷ ପାଳନ ଉପରେ ବି ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଅଫିସ ପରିସରରେ ଏକତ୍ର ହେବା, ଫୁଲଦେଇ ଅଭିବାଦନ ଜଣାଇବାକୁ ନିଷେଧ କରିଛନ୍ତି । ତେବେ ଭର୍ଚୁଆଲ୍ ମୋଡ୍‌ରେ ପରସ୍ପରକୁ ଶୁଭେଛା ଜଣାଇପାରିବେ ବୋଲି ଜଣାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ସରେ ଆଜିଠୁ ଆସନ୍ତା ୨ ତାରିଖ ଯାଏଁ କଡ଼ା ପ୍ରାବଧାନ ରହିଛି । ତେଣୁ ରାଜଧାନୀରେ କଡ଼ାକଡ଼ି ଚେକିଂ କରାଯିବ ଏବଂ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।