Pitam padhi
କୋରାପୁଟ: ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା । ଖବର ପାଇ ସେଠାରେ ପହଞ୍ଚିଥିଲେ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ି । ଆଉ ତାଙ୍କ ଓଡ଼ିଶା ବିରୋଧୀ ମେଳିକୁ ଭଣ୍ଡୁର କରି ଦେଇଥିଲେ ।
ଖାଲି ସେତିକି ନୁହେଁ ଆନ୍ଧ୍ର ଅଧିକାରୀଙ୍କ ସହ ତାଙ୍କ ଯୁକ୍ତତର୍କ ହେବା ସହ ସେଠାରୁ ଫେରିଯିବାକୁ ତାଗିଦ୍ କରିଥିଲେ ବିଧାୟକ । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ବାକ୍ ବିତଣ୍ଡା ଚାଲିଥିଲା । ଶେଷରେ ବିଧାୟକ ପିତମ ପାଢ଼ିଙ୍କ ଆଗରେ ହାର ମାନି ଆନ୍ଧ୍ର ଅଧିକାରୀମାନେ ସେଠାରୁ ଫେରିଯାଇଥିଲେ । ପୁଣି ଯଦି ସେମାନେ କେବେ ଓଡ଼ିଶାରେ ପଶି ଏଭଳି ମେଳି କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ମାଡ଼ ହେବ ଚେତାବନୀ ଦେଇଛନ୍ତି ବିଧାୟକ ପିତମ ପାଢ଼ି ।
Also Read
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କୋଟିଆରେ ପଶି ଆନ୍ଧ୍ରର କିଛି ଦୁର୍ବୃତ୍ତ ଓଡ଼ିଆ ବୋର୍ଡକୁ ଲିଭାଇ ଦେଇଥିଲେ । ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଥିଲେ । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା । ଓଡ଼ିଆରେ ଏସବୁ ଫଳକ ଲାଗିଥିଲା । ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି । ଆନ୍ଧ୍ର ପକ୍ଷରୁ କିଛି ତେଲୁଗୁ ଫଳକ ବି ଲଗାଯାଇଛି । ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରାଯାଉଛି । ଖୁବଶୀଘ୍ର ଘଟଣାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ କୋରାପୁଟ ଜିଲ୍ଲାପାଳ । ଅପରପେକ୍ଷ, ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)