/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658328099.jpg)
Cuttack Road
‘କଟକ ସହରରେ ଆଉ ରହିବନି ଖାଲଖମା । ଚକାଚକ ହେବ ରାସ୍ତା । ସବୁ ଡ୍ରେନରୁ ହେବ ପଙ୍କ ଉଦ୍ଧାର, ସୁଧୁରିବ ଜଳବନ୍ଦୀ ସମସ୍ୟା ।ଏସବୁକୁ ନେଇ ସିଏମସିରେ ବସୁଛି ଗୋଟିଏ ପରେ ଗୋଟିଏ ସମୀକ୍ଷା ବୈଠକ ।’
ହେଲେ କଟକର ବାସ୍ତବ ଚିତ୍ର ସବୁ ବେଳେ ଯେମିତି କୁ ସେମିତି ରହୁଛି । ଏଠି ଅସରାଏ ବର୍ଷାରେ ଘରୁ ବାହାରିବା ମୁସ୍କିଲ । ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳି ପର୍ଯ୍ୟନ୍ତ ଚାରି ଆଡେ ଖାଲଖମା ଭର୍ତ୍ତି । ଯାହାକୁ ନେଇ ଢେର ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ । କଟକରେ ଖାଲି ଜଳବନ୍ଦୀ ପ୍ରମୁଖ ସମସ୍ୟା ନୁହେଁ । ଏଠାରେ ରାସ୍ତାଗୁଡିକର ଅବସ୍ଥା ବି ତଦ୍ରୁପ । ଖାଲଖମାରେ ଭର୍ତି ସହରର ମୁଖ୍ୟ ରାସ୍ତାଠୁ ଆରମ୍ଭ କରି ଗଳି ରାସ୍ତା ।
ସହରର ପ୍ରବେଶ ପଥ ଲିଙ୍କ ରୋଡ଼ରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାରେ ଜାଇକା କାମ ଯୋଗୁଁ ସୃଷ୍ଟି ହୋଇଛି ବଡ ବଡ ଖାଲ । ପୁରୀଘାଟ, ଗଣେଶ ଘାଟ, ସିଡିଏ କାଠଯୋଡ଼ି ବନ୍ଧ, ସବୁଠି ରାସ୍ତାରେ ଖାଲ । ବଡ଼ ଗାଡି କଥା ଛାଡ଼ନ୍ତୁ ଦୁଇ ଚକିଆ ଗାଡ଼ିରେ ଯିବା ଆସିବା ବେଳକୁ ଲୋକେ ନୟାନ୍ତ ହେଉଛନ୍ତି । ଏମିତି ଗାଡ଼ିରୁ ପଡ଼ି ଖଣ୍ଡିଆ ଖବରା ହେଉଛନ୍ତି । ଯାହାକୁ ନେଇ ଢେର ଅସନ୍ତୋଷ ଜାହିର କରୁଛନ୍ତି ସହରବାସୀ । ସେପଟେ ଏସବୁକୁ ନେଇ କଟକ ମହାନଗର ନିଗମରେ ବସୁଛି ଘନ ଘନ ସମୀକ୍ଷା ବୈଠକ । ହେଲେ କଟକବାସୀଙ୍କ ସ୍ଥିତି ସୁଧୁରିବାର ନାଁ ଧରୁନି ।
ସିଡିଏ କାଠଯୋଡ଼ି ବନ୍ଧ ରାସ୍ତାରେ କେତେବେଳେ ଟ୍ରକ୍ ତ କେତେ ବେଳେ ଅନ୍ୟ ଗାଡ଼ି, ସମସ୍ତେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ଏହାକୁ ନେଇ ଟ୍ରକ୍ ଡ୍ରାଇଭର ଅଧିକ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପଟେ କଟକ ମେୟର ଙ୍କ ସେଇ ଚିରାଚରିତ ଉତ୍ତର । ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରାସ୍ତା ସବୁ ଖରାପ ହୋଇଯାଇଛି । ତେବେ ଖୁବ୍ ଶୀଘ୍ର ରାସ୍ତାଘାଟର ମରାମତି ହେବ ଏବଂ ରାସ୍ତା ଗୁଡିକର ସ୍ଥିତି ସୁଧୁରିବ । ତେବେ ଅଧିକାଂଶ ରାସ୍ତା ଆର ଆଣ୍ଡ ବି ଅଧୀନରେ ରହିଛି । ତେଣୁ ଆର ଆଣ୍ଡ ବି କର୍ତ୍ତୃପକ୍ଷ ଓ ଜାଇକା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରାସ୍ତା ସଜାଡିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି କଟକ ମେୟର ।
ବର୍ଷ ବର୍ଷ ଧରି ଏସବୁ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ସହରବାସୀ ଙ୍କୁ କେବେ ସୁଫଳ ମିଳୁଛି ଏବଂ କେବେ ଏସବୁର ନିରାକରଣ କରାଯାଉଛି ଏବେ ତାହାକୁ ହିଁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)