Advertisment

ଶାଗମାଛ ଦରରେ ବିକ୍ରି ହେଉଛି ଘଟଗାଁ ମା’ ତାରିଣୀଙ୍କ ନଡ଼ିଆ, ତଥାପି କେହି କିଣୁ ନାହାନ୍ତି..!

ଟେଣ୍ଡର ସତ୍ତ୍ୱେ ବ୍ୟବସାୟୀ କିଣିବାକୁ ଆସୁନାହାନ୍ତି । ଗୋଦାମରେ ପଡ଼ିଛି ୧୧ ଲକ୍ଷରୁ ଅଧିକ ନୈବେଦ୍ୟ ।

author-image
Satyendu Shekher Mishra
undefined

Ghatagaon Tarini

ଖୋଲା ବଜାରରେ ବିକ୍ରି ହେଉଛି ମା ତାରିଣୀଙ୍କ ନଡ଼ିଆ । ମାନସିକ ନଡ଼ିଆ ବିକ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ପ୍ରଥମେ ଟେଣ୍ଡର ଡାକି ବିକ୍ରି କରୁଥିଲେ, ଏବେ ଖୋଲା ବଜାରରେ ବିକ୍ରି ହେଉଛି ମା ତାରିଣୀଙ୍କ ମାନସିକ ନଡ଼ିଆ। ଯିଏ ଯେତେଟା ଚାହିଁଲା, ଯେତେବେଳେ ଚାହିଁଲା, କମ୍ ଦାମରେ ମନ୍ଦିର ପ୍ରଶାସନ ଠାରୁ କିଣିନେଉଛି। ତେବେ ଭକ୍ତିର ସହ ମାନସିକ ପୂରଣ ପାଇଁ ମା ତାରିଣୀଙ୍କ ପାଖକୁ ନଡିଆ ପଠାଇଥିବା ଭକ୍ତଙ୍କୁ ଗଭୀର ଆଘାତ ଦେଇଛି ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି।

Advertisment

କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା ଘଟଗାଁ ତାରିଣୀ। ମାଙ୍କ ପାଖକୁ ନଡିଆଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ରାତି ପାହିଲେ ମାଙ୍କ ପୀଠକୁ ହଜାର ହଜାର ନଡିଆ ପହଁଚିଥାଏ। ଆସୁଥିବା ମାନସିକ ନଡିଆ ମା'ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ।

ଏବର୍ଷ ଜିତେନ୍ଦ୍ର ନାରାୟଣ ଜେନା ନାମକ ବ୍ୟକ୍ତି ନଡିଆ ଗୋଟା ପ୍ରତି ୪ଟଙ୍କା ୬୫ ପଇସାରେ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିଲେ। ହେଲେ କିଛି ମାସ ପରେ ସମସ୍ୟା ଦେଖାଇ ସେ ଟେଣ୍ଡରରୁ ଓହରି ଯାଇଥିଲେ। ତାପରଠୁ ମାନସିକ ନଡ଼ିଆ ନେବା ପାଇଁ ୪ଥର ଟେଣ୍ଡର ଡକାଗଲାଣି। ହେଲେ ଏଥିରେ କେହି ଅଂଶ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ଏବେ ଗୋଦାମରେ ନଡ଼ିଆ ସଂଖ୍ୟା ୧୧ ଲକ୍ଷ ପାର କରିଛି।

Advertisment

କିଛି ଦିନ ତଳେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ପଇସାରେ ବିକ୍ରି କରିବାକୁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ। ପୁଣି ନଡ଼ିଆ ଗୋଟାକୁ ୪ ଟଙ୍କା ୬୦ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି। ଯେଉଁଠି ୩ଟଙ୍କା ୭୦ପଇସାରେ କିଣିବାକୁ କେହି ରାଜି ହୋଇନଥିଲେ, ଏବେ ଲୋକେ କିପରି ୪ଟଙ୍କା ୬୦ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ୧୦ ରୁ ୧୫ହଜାର ମାନସିକ ନଡିଆ ମାଙ୍କ ମନ୍ଦିରକୁ ଆସିଥାଏ। ଏବେ ନଡିଆ ସଂଖ୍ୟା ୧୧ ଲକ୍ଷ ଡେଇଁଲାଣି। ତୁରନ୍ତ ନିଲାମ ନହେଲେ ଏସବୁ ଗୋଦାମ ଗୃହରେ ପଡି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଯାହାକି ଭକ୍ତଂକ ଭାବନା ଓ ବିଶ୍ୱାସ ପ୍ରତି ବଡ଼ କୁଠାରଘାତ ହେବ ବୋଲି ମତପ୍ରକାଶ ପାଇଛି।

Advertisment
Advertisment