• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇ ଦିନରେ ଦୁଇଟି ଦୁଇଟି ଜୀବନ ଗଲା । ହେଲେ କିଛି ବଦଳିଲାନି । ପ୍ଲସ ଟୁ ଛାତ୍ରୀ ଏନ୍. ମୋହିନିଙ୍କ ମୃତ୍ୟୁର ଦିନକ ପରେ ଆଜି ବି କଟକ ସହରରେ ଅତ୍ୟନ୍ତ ବେପରୱା ଢଙ୍ଗରେ ଚାଲିଛି ନିର୍ମାଣ କାମ । ଏମିତିକି ଦୁର୍ଘଟଣା ଘଟିଥିବା ସ୍ଥାନରେ ଏଯାଏଁ ବ୍ୟାରିକେଡ୍ ଟିଏ ବି ତିଆରି ହୋଇପାରିନି । ଯାହାକୁ ନେଇ ସହରବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଦିନକ ପୂର୍ବରୁ ବ୍ୟବସ୍ଥାର ଦାୟିତ୍ୱହୀନତା ପାଇଁ ଚାଲିଯାଇଥିଲା ପ୍ଲସ-ଟୁ ପଢୁଆ ଝିଅ ଏନ୍. ମୋହିନିଙ୍କ ଜୀବନ । ଦେଢ଼ଦିନ ଯାଏଁ ହୋହଲ୍ଲା ହେଲା, ମୋହିନି ପରିବାରକୁ ସହାୟତା ଘୋଷଣା ହେଲା । ବାସ୍ ତା ପରେ ସବୁ ଏକଦମ୍ ଥଣ୍ଡା । ନା ବିପଦଶଙ୍କୁଳ ଅବସ୍ଥାରେ ଥିବା ଏ ଡ୍ରେନ୍ କଡ଼ରେ ଅସ୍ଥାୟୀ ବାଡ଼ଟିଏ ଦିଆ ହେଲା, ନା ସୂଚନା ଫଳକ ଲାଗିଲା । କେଉଁଠି ରାସ୍ତାର ଅଧା ଡ୍ରେନ୍ ଆଡ଼କୁ ଧସି ଆସିଛି ତ କେଉଁଠି ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମ୍ୟାନହୋଲ୍ । ଏନ୍ . ମୋହିନିଙ୍କୁ ଉଦ୍ଧାର ସମୟରେ ଜେସିବି ମାଡ଼ରେ ଫାଟି ଆଁ କରିଥିବା ଏ ଘର ବି ପ୍ରତିମୂହର୍ତ୍ତରେ ବିପଦକୁ ବରୁଛି । ହେଲେ ଦିନକ ଭିତରେ ଯେମିତି ପୁଣି ନିଘୋଡ଼ ନିଦରେ ବ୍ୟବସ୍ଥା ।

ମଙ୍ଗଳବାରର ଅଘଟଣ ପରେ ବନ୍ଦ ଥିବା ବକ୍ସ ଡ୍ରେନ୍ କାମ ଆଜି ଆରମ୍ଭ ହୋଇଛି । ୨୦ ଫୁଟ୍ ତଳେ ୨୦ରୁ ଅଧିକ ଶ୍ରମିକ କାମ କରୁଛନ୍ତି । ତାରି ଦାଢ଼ରେ ଅତି ବିପଦପୂର୍ଣ୍ଣ ଢଙ୍ଗରେ ଅଧାଭଙ୍ଗା ଅବସ୍ଥାରେ ରହିଛି ଅସ୍ଥାୟୀ ପାଚେରି । କେତେବେଳେ କିଛି ବି ଘଟିପାରେ । ଶ୍ରମିକଙ୍କ ପାଇଁ ସାମାନ୍ୟତମ ସୁରକ୍ଷା ବ୍ୟବସ୍ଥା ବି ନାହିଁ । ମରଣ ମୁହଁକୁ ଯେମିତି ଠେଲି ଦେଇଛି ଠିକା ସଂସ୍ଥା । ଠିକ୍ ଯେମିତି ଗତବର୍ଷ ଛତ୍ରବଜାର ଠାରେ ପୋଲ ଭୁଶୁଡି ଦୁଇଜଣ ଶ୍ରମିକଙ୍କ ଜୀବନ ଯାଇଥିଲା ।

ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ ପାଇଁ ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଏନ୍. ମୋହିନିଙ୍କ ମାମଲାରେ କର୍ତ୍ତବ୍ୟରେ ଅବହେଳା ପାଇଁ କାଲି ଦୁଇ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରାଯାଇଛି । ହେଲେ ବ୍ୟବସ୍ଥାରେ କିନ୍ତୁ ପରିବର୍ତ୍ତନର ଆଭାସ ନାହିଁ । ମେୟରଙ୍କ ଦୃଢ଼ୋକ୍ତି, ବିନା ସୁରକ୍ଷା ବ୍ୟବସ୍ଥାରେ ନିର୍ମାଣ କାମ ଚାଲୁଥିଲେ, ତାକୁ ତୁରନ୍ତ ବନ୍ଦ କରାଯିବ ।

ଏତେବଡ଼ ଦୁଇ ଦୁଇଟି ଅଘଟଣ ପରେ ବି କଣ ପ୍ରଶାସନ ଆଖିରେ ପଡ଼ୁନି ଅବ୍ୟବସ୍ଥାର ଏ ଚିତ୍ର। ବ୍ୟବସ୍ଥାର ଚେତା ପଶିବାକୁ ଆଉ ଏମିତି କେତେ ଜୀବନ ଯିବା ଦରକାର ।

  • Reported by:
  • PRAVAT BISOI