/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704119140.jpg)
Metro Rail Project
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଲାଗି ପଡ଼ିଲା ଭିତ୍ତିପ୍ରସ୍ତର। ଆଜି ନୂଆବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସକାଳୁ ଭୁବନେଶ୍ୱର ବିମାନବନ୍ଦରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପରେ ରୋଡ୍ ସୋ’ କରି ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ବାରଙ୍ଗ ନିକଟସ୍ଥ ରତାଗଡ଼ ଲେଙ୍କାସାହିରେ । ସେଠାରେ ସ୍ଥାପନ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ ଡିପୋ ସ୍ଥାନରେ ହିଁ ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆବର୍ଷରେ ନୂଆ ଓଡ଼ିଶାର ଭିତ୍ତି ରଖାଯାଇଛି । ୪ ବର୍ଷରେ ଏ ମେଟ୍ରୋ ପ୍ରକଳ୍ପ କାମ ସରିବ। ଓଡ଼ିଶାବାସୀ ମେଟ୍ରୋରେ ଯାତାୟାତର ସୁବିଧା ପାଇବେ। ଏଥିସହ ଏହା ପୁରୁଣା ରାଜଧାନୀ କଟକ ସହ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଅଧିକ ମଜବୁତ କରିବ।
ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ସଂପୂର୍ଣ୍ଣ ମେଟ୍ରୋ କରିଡର୍ ଏଲିଭେଟେଡ୍ ରହିବ। ଅର୍ଥାତ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ବର୍ତ୍ତମାନ ଥିବା ସଡ଼କ ପଥ ଉପରେ ହିଁ ତିଆରି ହେବ ମେଟ୍ରୋ ପ୍ରକଳ୍ପ। ଷ୍ଟେସନ ବି ଉପରେ ରହିବ। ଏଣୁ ଜମି ଅଧିଗ୍ରହଣ କରିବାକୁ ପଡ଼ିବନି। ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉଭୟ ଅପ୍ ଆଣ୍ଡ ଡାଉନରେ ପ୍ରତି ୧୦ ମିନିଟରେ ଗୋଟିଏ ମେଟ୍ରୋ ଟ୍ରେନ୍ ଚାଲିବ। ପ୍ରତି ମେଟ୍ରୋ ଟ୍ରେନରେ ଏକକାଳୀନ ୭୫୦ ଜଣ ଯାତାୟାତ କରିପାରିବେ। ମାତ୍ର ୪୫ ମିନିଟ ଭିତରେ ଏହା ବିମାନବନ୍ଦରରୁ ତ୍ରିଶୁଳିଆ ପହଞ୍ଚିଯିବ।
ଏପଟେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବଜେଟରେ ମେଟ୍ରୋ ପାଇଁ କୌଣସି ପ୍ରାବଧାନ ହୋଇ ନ ଥିବାରୁ ବିଜେପି ଏହାକୁ ନିର୍ବାଚନୀ ଭେଳିକି ବୋଲି କହିଛି। କଂଗ୍ରେସ କହିଛି, ୪୦ ବର୍ଷ ଧରି ଆମେ ମେଟ୍ରୋ ପାଇଁ ଉଦ୍ୟମ କରିଆସୁଥିଲୁ, ଏନେଇ ବିରୋଧୀଙ୍କ ମତାମତ ନ ନିଆଯିବା ଦୁର୍ଭାଗ୍ୟଜନକ। ଏହାର ଜବାବ ରଖିଛି ବିଜେଡି । ଏସବୁ ଭିତରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସଂପ୍ରସାରଣ ପାଇଁ ମାଷ୍ଟର ପ୍ଲାନ ଚାଲିଥିବା ବେଳେ ଆଗାମୀ ଦିନରେ ଖୋର୍ଦ୍ଧା ଓ ପୁରୀକୁ ମେଟ୍ରୋ ଚଳାଚଳ ପାଇଁ ମଧ୍ୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)