• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍‌ରେ ଆମିଷ ଖିଆକୁ ବିରୋଧ ? କାରଣ ଯାହାବି ହୋଇଥାଉ ନା କାହିଁକି, ଧର୍ମୀୟ ଭାବନା ବନାମ୍ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ପୁଣି ଅଶାନ୍ତ ହୋଇଛି ଜେଏନ୍‌ୟୁ କ୍ୟାମ୍ପସ୍ । ୧୦ ତାରିଖ ରାତିରେ କ୍ୟାମ୍ପସ୍‌ରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି, ରକ୍ତାକ୍ତ ସଂଘର୍ଷ ଘଟିଛି ।

ସୂଚନା ଅନୁସାରେ, ଏବିଭିପି ଏବଂ ବାମ ସମର୍ଥିତ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବେଶ୍ କିଛି ସମୟର ଏ ସଂଘର୍ଷରେ ୫୦ରୁ ୬୦ ଛାତ୍ର ଆହତ ହୋଇଛନ୍ତି । ୧୫ ଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିଛି । କାବେରୀ ହଷ୍ଟେଲ୍‌ରୁ ଆରମ୍ଭ ହୋଇଥିବା ବିବାଦ ପରେ ପୂରା କ୍ୟାମ୍ପସ୍‌କୁ ବ୍ୟାପିଯାଇଥିଲା । ଗତକାଲି ରାତି ତମାମ୍ କ୍ୟାମ୍ପସ୍‌ରେ ଉଭୟ ଗୋଷ୍ଠୀ ନାରାବାଜି ଦେବା ସହ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ଆଉ ସୋମବାର ସକାଳୁ ଉଗ୍ରତା ଥମିଥିଲେ ବି ଉତ୍ତେଜନା ଜାରି ରହିଛି । ଉଭୟ ପକ୍ଷରୁ ବସନ୍ତକୁଞ୍ଜ ଥାନାରେ ଏତଲା ହୋଇଛି । ତେଣେ ଛାତ୍ରଛାତ୍ରୀଙ୍କୁ ଏଭଳି ହିଂସାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି ଜେଏନ୍‌ୟୁ କର୍ତ୍ତୃପକ୍ଷ । କାବେରୀ ହଷ୍ଟେଲ୍‌ରେ ଘଟିଥିବା ଅପ୍ରୀତିକର ଘଟଣାରେ କେହି ସଂଶ୍ଳିଷ୍ଟ ଥିବା ପ୍ରମାଣ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଏପଟେ ରାମନବମୀ ଶୋଭାଯାତ୍ରା ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଂସା । ବିଶେଷକରି ମଧ୍ୟପ୍ରଦେଶ, ଗୁଜୁରାଟ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଅନେକ ସ୍ଥାନରେ ସାମ୍ନାକୁ ଆସିଛି ହଙ୍ଗାମାର ଚିତ୍ର । କେଉଁଠି ଗୃହଦାହ ତ କେଉଁଠି ଶୋଭାଯାତ୍ରା ଉପରେ ଉପଦ୍ରବୀଙ୍କ ପଥର ମାଡ଼ରୁ ସ୍ଥିତି ବିଗିଡ଼ିଛି । ଆଉ ଗୁଜରାଟ ସାବରକାଣ୍ଠାରେ ହିଂସା ପରର ଚିତ୍ର ଦେଖିଲେ ଆଖିରୁ ଲୁହ ନିଗିଡ଼ି ଆସିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀମାନେ ଫ୍ଲାଗ୍‌ମାର୍ଚ୍ଚ ।

ଶୋଭାଯାତ୍ରା ସମୟରେ ହିଂସା ବେଳେ ଆନନ୍ଦ ଜିଲ୍ଲାରେ ଜଣେ ବ୍ୟକ୍ତିର ମୃତ୍ୟୁ ହେବା ପରେ ସେଠି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି  । ସେହିପରି ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବ୍ୟାପକ ହିଂସା ଓ ଗୃହଦାହ ଘଟଣା ଘଟିଛି । ଖରୋଗନ୍ ସହରରେ ହିଂସାକାରୀଙ୍କୁ ଦମନବେଳେ ଗୁଳି ବାଜି ସ୍ଥାନୀୟ ଏସ୍‌ପି ଆହତ ହୋଇଛନ୍ତି । ଏଥିସହିତ ହିଂସାକାଣ୍ଡରେ ୬ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କିଛି ସ୍ଥାନରେ ରାମନବମୀ ଶୋଭାଯାତ୍ରା ବେଳେ ହିଂସା, ପୋଡ଼ାଜଳା ଓ ପଥରମାଡ଼ ଘଟଣାରେ ଅନେକ ଆହତ ହୋଇଛନ୍ତି । ହିଂସାଗ୍ରସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୋଲିସ୍ ମୁତୟନ ହୋଇଛି ।