• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଟିଆରେ ଆନ୍ଧ୍ରପ୍ରଦେଶର ବାରମ୍ବାର ଅନୁପ୍ରବେଶ, ନିର୍ବାଚନ ଓ ଶେଷରେ ନୂଆ ଜିଲ୍ଲା ମ୍ୟାପ୍‌ରେ ଦର୍ଶାଇବା ପରେ ବୋଧେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଏବେ ମୁଖ୍ୟ ସଚିବ କୋଟିଆ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଚାଷ ଓ ପର୍ଯ୍ୟଟନର ବିକାଶ ନେଇ କଥା ହୋଇଛନ୍ତି । କୋଟିଆବାସୀ ନିଜ ଅଞ୍ଚଳରେ ଥିବା ଲମ୍ବା ସମୟର ସମସ୍ୟା ସମ୍ପର୍କରେ ମୁଖ୍ୟ ସଚିବଙ୍କୁ ଅବଗତ କରିଛନ୍ତି । ହେଲେ ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।

କୋରାପୁଟ କୋଟିଆରେ ପଶି ଅଫିସ୍, ସ୍କୁଲ, ଯୋଜନା ପ୍ରଣୟନ କଲା ଆନ୍ଧ୍ରପ୍ରଦେଶ । ଓଡ଼ିଶା ମାଟିରେ ପଞ୍ଚାୟତ ନିର୍ବାଚନ କଲା । ଏତେ ସବୁ ହେବା ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଯେପରି ପ୍ରତିକ୍ରିୟାଶୀଳ ହେବା କଥା ସେତିକି ହେଲେନି । ଶେଷରେ ନୂଆ ଜିଲ୍ଲା ଗଠନ କରି କୋଟିଆକୁ ମାନଚିତ୍ରରେ ଦର୍ଶାଇଲା ଆନ୍ଧ୍ର । ନେଡ଼ି ଗୁଡ଼ କହୁଣୀକୁ ବୋହିବା ପରେ ଏବେ ଚେତା ପଶିଛି ରାଜ୍ୟ ସରକାରଙ୍କର । ଲୋକଙ୍କ ପାଖକୁ ଯାଇ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଟିଆବାସୀଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନାର ଅନୁଧ୍ୟାନ କରିଛନ୍ତି । ହେଲେ ଏହା କଣ ଯଥେଷ୍ଟ ? ଲୋକଙ୍କ ସମସ୍ୟା ସମାଧାନ ନହେଲେ ସେମାନେ ଆନ୍ଧ୍ରରେ ମିଶିବେ ବୋଲି କହିଛନ୍ତି ।

କୋଟିଆରୁ ପ୍ରତିବର୍ଷ ଅନେକ ଶିକ୍ଷିତ ପିଲା କାମ ସନ୍ଧାନରେ ପଡ଼ୋଶୀ ଆନ୍ଧ୍ରକୁ ଯାଆନ୍ତି । ଏହି ସମସ୍ୟା ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ଏନେଇ ମୁଖ୍ୟ ସଚିବଙ୍କୁ ଭେଟି ୧୦ ଦଫା ଦାବି ପତ୍ର ଦେଇଛନ୍ତି ସ୍ଥାନୀୟ ଲୋକେ । କୋଟିଆରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସ୍ଥାପନ ପାଇଁ ସେମାନେ ଜଣାଇଛନ୍ତି । ସେପଟେ ଆଜି କୋଟିଆରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହ ଚାଷୀ ଓ ଏସ୍ଏଚ୍‌ଜି ମହିଳାଙ୍କୁ ଭେଟିଛନ୍ତି ମୁଖ୍ୟ ସଚିବ । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଦେଓମାଳିରେ ଇକୋ ଟୋରିଜିମ୍  ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆକୁ ଅାଦର୍ଶ ପଞ୍ଚାୟତରେ ପରିଣତ କରିବାକୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଆଜି ବି କୋଟିଆବାସୀଙ୍କ ପାଖରେ ନାହିଁ ପିଇବା ପାଇଁ ଭଲ ପାଣି, ଜିନିଷ ବିକ୍ରି ପାଇଁ ବଜାର, ଆବାସ୍ ଯୋଜନାରେ ଘର । ତେବେ ପ୍ରଥମ ଥର ପାଇଁ କୌଣସି ମୁଖ୍ୟ ସଚିବ କୋଟିଆ ଗସ୍ତ କରିଛନ୍ତି । ତେଣୁ ଆଶା ଏଥର ହେବ କୋଟିଆର ବିକାଶ ।