• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପିଆଜ ଦରବୃଦ୍ଧି ପାଇଁ ପ୍ରକୃତରେ ଦାୟୀ କିଏ । ରାଜ୍ୟ ନା କେନ୍ଦ୍ର ? ଉଭୟଙ୍କ ମଧ୍ୟରେ ଦୋଷ ଲଦାଲଦି । ଏସବୁ ଭିତରେ ଆଜି କୃଷିମନ୍ତ୍ରୀଙ୍କ ବାସଭବନ ଆଗରେ କେଜି ପିଛା ୨୦ ଟଙ୍କା ଦରରେ ବିକିବା ସହ କିଛି ମନ୍ତ୍ରୀଙ୍କ ବାସଭବନ ଭିତରକୁ ପିଆଜ ଫୋପାଡିଛି ଛାତ୍ର କଂଗ୍ରେସ । ଏଣେ ରାଜଧାନୀର କିଛି ସ୍ଥାନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ କେଜି ପିଛା ୨୫ ଟଙ୍କାରେ ବିକ୍ରି କରାଯାଇଛି । ହେଲେ ପିଆଜ ଦରବୃଦ୍ଧି ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ କରୁଛି ।

କୌଣସି ବଜାର ନୁହେଁ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ପିଆଜ କେଜି ପିଛା ୮୦ ଟଙ୍କାରେ କିଣି ୨୦ ଟଙ୍କାରେ ବିକିଛି ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦାୟୀ କରି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । କୃଷିମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପିଆଜ ବିକିବା ସହ ବାସଭବନ ଉପରକୁ ପିଆଜ ଫୋପାଡିଛନ୍ତି । ଅଭିଯୋଗ କରିଛନ୍ତି, ପିଆଜ କଳାବଜାରୀ ରୋକିବାରେ ସରକାର ବିଫଳ ହୋଇଛନ୍ତି ।

ଏପଟେ କିନ୍ତୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପିଆଜ ଦରବୃଦ୍ଧି ନେଇ କେନ୍ଦ୍ର ମୁଣ୍ଡରେ ଅଠା ବୋଳିଛନ୍ତି । କହିଛନ୍ତି କେବଳ ଓଡିଶାରେ ନୁହଁ ଅନେକ ରାଜ୍ୟରେ ଏମିତି ସ୍ଥିତି । ତେଣୁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର । ରାଜ୍ୟ ସରକାରଙ୍କ କାମ କେବଳ କଳାବଜାରୀ ରୋକିବା । କେନ୍ଦ୍ର ଉପରେ ଦୋଷ ଲଦିବା ପରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାରଙ୍କ ପିଆଜ ମିଶନ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ଦଳ । ୨୩ ବର୍ଷରେ ରାଜ୍ୟ ସରକାର କେତେ ଶୀତଳ ଭଣ୍ଡାର ତିଆରି କରିଛନ୍ତି ତାର ଉତ୍ତର ଦେବେ କି ବୋଲି ପଚାରିଛି ।

ବଡ଼ କଥା ହେଲା ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ପିଆଜ କେଜି ପିଛା ୨୦ ଟଙ୍କା ଶୁଣି ଜମିଥିଲା ଗହଳି । ଯିଏ ଶୁଣୁଥିଲା ସିଏ ଅଟକୁ ଥିଲା । ଭୁବନେଶ୍ୱର ଓ କଟକରେ ପିଆଜ ଦର ୬୦ ଥିବାବେଳେ ବ୍ରହ୍ମପୁରରେ ୬୫ ଟଙ୍କାରେ ବିକ୍ରି ହେଉଛି । ତେବେ ରାଜଧାନୀର ପ୍ରଶାନ୍ତିବିହାର ଚିରଗାଲଟୋଲା ବସ୍ତି ଠାରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଉଟି କଲ୍ୟାଣ ବିଭାଗ ପିଆଜ କେଜି ପିଛା ୨୫ ଟଙ୍କାରେ ଦେଉଥିଲା । ଏଠାରେ ପିଆଜ କିଣିବାକୁ ଲମ୍ବା ଲାଇନ ଲାଗିଥିବା ବେଳେ ଜଣଙ୍କ ପିଛା ୨ କେଜି ଲେଖାଏଁ ପିଆଜ ଦିଆଯାଉଥିଲା ।

ପିଆଜ ଦରବୃଦ୍ଧି ରୋକିବା ପାଇଁ ୨୦୧୫ରେ ପିଆଜ ମିଶନ ଆରମ୍ଭ କରିଥିଲେ ସରକାର । ଏହି ମିଶନରେ ଚାଷୀଙ୍କୁ ଉକୃଷ୍ଟ ମଞ୍ଜି, ଆର୍ଥିକ ସହାୟତା ସହ ବାହାର ରାଜ୍ୟକୁ ରପ୍ତାନି ନକରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ସରକାର । ବଡ଼ କଥା ହେଲା ପିଆଜ ମିଶନ ଆରମ୍ଭ ବେଳେ ଓଡିଶା ବଳକା ରାଜ୍ୟ ଥିଲା । ହେଲେ ତା’ ପରଠୁ କ୍ରମାଗତ ଉତ୍ପାଦନ କମିବା, ସରକାରଙ୍କ ପିଆଜ ମିଶନ ପୋଲକୁ ପଦାରେ ପକାଇଛି ।

  • Reported by:
  • JAGANATH SAHU , SOUMYA RANJAN SAHOO , ARACHANA SATPATHY , BIBARTAN PANDA