• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ମହାଦେବ ଆପ୍ ସମେତ ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମହାଦେବ୍ ବେଟିଂ ଆପ୍ ସଂପର୍କିତ ଅନଲାଇନ ଜୁଆ ସିଣ୍ଡିକେଟ୍ ମାମଲାର ତଦନ୍ତ କରୁଛି ।

ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ଛତିଶଗଡ଼ର ବିଭିନ୍ନ ଠିକଣାରେ ଚଢଉ କରା ଯାଇଥିଲା । ପୂର୍ବରୁ ଏହି ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଜବତ କରିଛି ଇଡି ।

ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି । ଏହି ମହାଦେବ ବେଟିଂ ଆପ୍ ସଂପର୍କିତ ମାମଲାରେ ହରଡ଼ଘଣାରେ ପଡ଼ିଛି ଛତିଶଗଡ଼ର ଭୂପେଶ ବଘେଲ ସରକାର । ଦଳର ପ୍ରଚାର ପାଇଁ ବେଟିଂ ଆପ୍ ଅପରେଟରଙ୍କଠାରୁ ୫ଶହ କୋଟିରୁ ଅଧିକ ଟଙ୍କାର ବେଆଇନ ଫଣ୍ଡିଂ ମିଳିଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ବଘେଲ । କିନ୍ତୁ କେନ୍ଦ୍ର ଆଇଟି ମନ୍ତ୍ରୀ କହିଛନ୍ତି, ଆଇଟି ଧାରା ୬୯(ଏ) ଅନୁଯାୟୀ, ୱେବସାଇଟ ଓ ଆପକୁ ନିଷିଦ୍ଧ କରିବା ପାଇଁ ଅନୁରୋଧ କରିବା, ରାଜ୍ୟ ସରକାରଙ୍କ ପାଖରେ ରହିଛି । କିନ୍ତୁ ଦେଡ଼ ବର୍ଷ ଧରି ଏହି ତଦନ୍ତ ଚାଲିଥିଲେ ମଧ୍ୟ ଛତିଶଗଡ଼ ସରକାର ଏହାକୁ ନିଷିଦ୍ଧ କରିବା ପାଇଁ କୌଣସି ଅନୁରୋଧ କରି ନଥିଲେ ।

ବର୍ତ୍ତମାନ ଇଡି ଅନୁରୋଧ କରିବାରୁ ତତକ୍ଷଣାତ ପଦକ୍ଷେପ ଗ୍ରହଣ କରାଗଲା ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଅନ୍ୟପଟେ ମହାଦେବ ବୁକର ମାଲିକଙ୍କୁ ମନି ଲଣ୍ତରିଂ ମାମଲାରେ ଗିରଫ କରା ଯାଇଛି । ଇଡି ପକ୍ଷରୁ ମହାଦେବ ବୁକର ମୁଖ୍ୟ ପ୍ରତିଷ୍ଠାତା ସୌରଭ ଚନ୍ଦ୍ରଶେଖର, ରବି ଉପଲଙ୍କ ସମେତ ୧୪ ଜଣଙ୍କ ନାମ ଉଲ୍ଲେଖ ରହିଛି ।