• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ଜିଲ୍ଲାପାଳଙ୍କ ନାଁରେ ରୁଜୁ ହେବ ମାମଲା । ଟାଟା ପ୍ରୋଜେକ୍ଟ ନାଁରେ ବି ରୁଜୁ ହେବ ମାମଲା । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରୁଜୁ ହେବ ମାମଲା । ପୁରୀ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ କରିବା ଲାଗି ପୁରୀ ଏସ୍‌ଡିଜେଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି ଏସ୍‌ଡିଜେଏମ୍ ପୁରୀ ସିଂହଦ୍ୱାର ଥାନାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସେପଟେ ଆଜି ଶ୍ରୀମନ୍ଦିର କରିଡର ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟାର୍ଗେଟ କରିଛନ୍ତି । ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟ ସରକାର ଓ ସାଂସଦ ପିନାକୀ ମିଶ୍ରଙ୍କୁ ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ । ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଚିନ୍ତାଜନକ ତଥ୍ୟ ଉପସ୍ଥାପନ ହୋଇଛି । ଏଏସ୍ଆଇର ସତ୍ୟପାଠ ପରେ ମୁହଁ ଖୋଲିଲି । ଆଉ ଚୁପ୍ ରହିବେନି ବୋଲି କହିଛନ୍ତି ସମ୍ବିତ ।

ରାଜ୍ୟ ସରକାର ଆମ ଧରୋହରକୁ ନଷ୍ଟ କରିଛନ୍ତି ବୋଲି ସମ୍ବିତ ଅଭିଯୋଗ କରିଛନ୍ତି । ପରିକ୍ରମା ପ୍ରକଳ୍ପରେ ତିଆରି ହେଉଥିବା ରିସେପସେନ୍ ସେଣ୍ଟରକୁ ରେଗୁଲେଟେଡ୍ ଜୋନ୍‌କୁ ନେଇଯିବାକୁ ରାଜ୍ୟ ସରକାର କୋର୍ଟରେ କହିଥିବାରୁ ବର୍ଷିଛନ୍ତି ସମ୍ବିତ । ରେଗୁଲେଟେଡ୍‌ ଜୋନ୍‌କୁ ନେଇଯିବା କହିବା ଅର୍ଥ ସରକାର ପ୍ରୋହିବିଟେଡ୍‌ ଜୋନ୍‌ରେ ନିର୍ମାଣ କାର୍ଯ୍ୟ ଚଳାଇଥିଲେ । ସବୁ କଥା ଜାଣି ବି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରିବା ଚିନ୍ତାର ବିଷୟ । ସେଠାରେ କାହିଁକି ନିର୍ମାଣ କାର୍ଯ୍ୟ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।

ସେପଟେ ସମ୍ବିତଙ୍କୁ ବିଜେଡି କଡ଼ା ସମାଲୋଚନା କରିଛି । ଜଗନ୍ନାଥଙ୍କୁ ନେଇ ସମ୍ବିତ ଡ୍ରାମା କରୁଥିବା କହିଛନ୍ତି ପ୍ରତାପ ଦେବ । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି ଓ କଂଗ୍ରେସ । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସମ୍ବିତ ପାତ୍ର ଯାହା କହୁଛନ୍ତି ଓ ଯାହା କରୁଛନ୍ତି ସବୁ ଡ୍ରାମା । ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।