/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642865553.jpg)
BOAT Ambulance
ମାଲକନଗିରିରେ ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳବାସୀ ଭାବିଥିଲେ ଦୂର ହେବ ସେମାନଙ୍କ ଦୁଃଖ । ସେତୁ ତ ହୋଇଗଲା, ହେଲେ ଆଜି ବି ବିଛିନ୍ନାଞ୍ଚଳରେ ଅନେକ ଗାଁ ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇନି । ତେଣୁ ଆଜି ବି ଜଳପଥ ପାଲଟିଛି ଯାତାୟତର ପ୍ରମୁଖ ମାଧ୍ୟମ । ପାଣିରେ ବିପଦପୂର୍ଣ୍ଣ ଯାତ୍ରା କରି ଜୀବନକୁ ବାଜି ଲଗାଉଛନ୍ତି ଲୋକେ । ପୁଣି କେତେବେଳେ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି ବହୁ ଗ୍ରାମବାସୀ । ହେଲେ ଏବେ ବିଛିନ୍ନାଞ୍ଚଳର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ବୋଟ ଆମ୍ବୁଲାନ୍ସ । ଯାହା ଆରମ୍ଭ ହେବାକୁ ଯାଉଛି ଆସନ୍ତା ୨୬ ତାରିଖରେ ।
ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ ।
ବିଏସଏଫ ପକ୍ଷରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ପ୍ରଦାନ କରାଯିବ ଏହି ସେବା । ଚିତ୍ରକୋଣ୍ଡାର ସ୍ପିଲୱେ ଘାଟରେ ଏହି ବୋଟ ରଖାଯିବ । ବୋଟ ଆମ୍ବୁଲାନ୍ସ ପାଇଁ ଟୋଲ ଫ୍ରି ନମ୍ବର ପ୍ରଦାନ କରାଯିବ । ଏହି ନମ୍ବରରେ ଫୋନ ଆସିବା କ୍ଷଣି ତୁରନ୍ତ ଜଳଯାତ୍ରା କରି ଗୁରୁତର ରୋଗୀ ହେଉ ବା ଗର୍ଭବତୀ ମହିଳାଙ୍କୁୁ ଚିତ୍ରକୋଣ୍ଡା ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବେ । ଏହି ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟ କର୍ମଚାରୀ ୨୪ ଘଣ୍ଟା ମୁତୟନ ରହିବେ । ସ୍ୱାଭିମାନ ଅଞ୍ଚଳର ୩୦ରୁ ୩୫ଟି ଗାଁର ପ୍ରାୟ ୧୦ ହଜାର ଲୋକେ ଏହି ସେବା ଦ୍ୱାରା ଉପକୃତ ହେବେ । ଏହି ବୋଟ ଆମ୍ବୁଲାନ୍ସର ସମସ୍ତ ଖର୍ଚ୍ଚ ବହନ କରିବ ବିଏସଏଫ ।
ଏହି ବୋଟ ଆମ୍ବୁଲାନ୍ସ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସେବାର ଆଶା ସଞ୍ଚାର ହୋଇଛି ସ୍ୱାଭିମାନ ଅଞ୍ଚଳବାସୀଙ୍କ ମନରେ । ହେଲେ ଏହା ବିଛିନ୍ନାଞ୍ଚଳର ସବୁ ପଞ୍ଚାୟତରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହେବ କି ନାହିଁ, ତାକୁ ନେଇ ରହିଛି ସନ୍ଦେହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)