• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ଡେଙ୍ଗୁ ବେକାବୁ... ଅସମ୍ଭାଳ ସ୍ଥିତି । ଝୁମ୍ପୁଡ଼ି ବସ୍ତିଠୁ ଆରମ୍ଭ କରି ବହୁତଳ ଆପାର୍ଟମେଣ୍ଟ ଯାଏ, ସବୁଠି ଏହାର ପ୍ରାଦୁର୍ଭାବ । ଅବସ୍ଥା ଏତେ ସଂଗୀନ ଯେ, କ୍ୟାପିଟାଲ ହସପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀ । ଖୋଦ୍ ରାଜଧାନୀର ସବୁଠୁ ବଡ଼ ସରକାରୀ ହସପିଟାଲର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଆକ୍ରାନ୍ତଙ୍କ ଅନୁସାରେ ବେଡ୍ ନାହିଁ । ଏବେ ମୋଟ ୫୦ ଡେଙ୍ଗୁ ରୋଗୀ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବେଡ୍ ଅଭାବରୁ କେତେକଙ୍କୁ ଏଭଳି ତଳେ ରଖି ଚିକିତ୍ସା କରାଯାଉଛି । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ । ଦୈନିକ ପ୍ରାୟ ୩ ଶହ ସାମ୍ପୁଲ ଟେଷ୍ଟ ହେଉଥିବା ବେଳେ ୪୦ରୁ ୫୦ ପଜିଟିଭ୍ ବାହାରୁଛି । ଏଥିରୁ ସ୍ପଷ୍ଟ ହେଉଛି ରାଜଧାନୀରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଡେଙ୍ଗୁ ।

ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍‌ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା । ଯାହା ଘରୁ ମଶା ବାହାରିବ, ତାକୁ ହଜାରେ ଟଙ୍କା ଜୋରିମାନା ହେବ । ସରକାରୀ, ବେସରକାରୀ ଅଫିସକୁ ୫ ହଜାର ଫାଇନ୍ ।

ଘରେ, ଛାତରେ କି ଆଖପାଖରେ ଭଙ୍ଗା ପ୍ଲାଷ୍ଟିକ, ଟିଣ କି ଯେକୌଣସି ପାତ୍ର, ଟାୟାର, ଫୁଲ କୁଣ୍ଡ, ପଇଡ଼, ନଡ଼ିଆ ସଢ଼େଇରେ ପାଣି ଜମି ରହିଥିଲେ ଫାଇନ୍ କରିବ ବିଏମ୍ସି । ଏଭଳି ପରିବେଶ ମଶା ବଂଶ ବୃଦ୍ଧିରେ ସହାୟକ ହେଉଥିବାରୁ ଏଭଳି ପଦକ୍ଷପେ ନେଇଛି ମହାନଗର ନିଗମ । ଏଥିପାଇଁ ୩ଟି ଜୋନରେ ଜେଡିସିଙ୍କ ତତ୍ତ୍ୱାବଧାନରେ ଗଠନ କରାଯାଇଛି ସ୍ୱତନ୍ତ୍ର ଟିମ୍ । କିନ୍ତୁ ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି ବିଏମ୍‌ସି ତ ନିଜ କାମ ଠିକରେ କରୁନି, ସେ ପୁଣି କେଉଁ ମୁହଁରେ ଆମକୁ ଫାଇନ୍ ପକାଇବ ।

କେବଳ ନୂଆ ରାଜଧାନୀ ନୁହେଁ, ପୁରୁଣା ରାଜଧାନୀ କଟକ ମଧ୍ୟ ଡେଙ୍ଗୁରେ କବଳିତ । ବିଶେଷ କରି ସିଡିଏ ପାଲଟିଛି ହଟ୍ ସ୍ପଟ୍ । ଭଲରେ ସଫା ହେଉନଥିବାରୁ, ଡ୍ରେନେଜ୍, ସ୍ୱେରେଜ୍ ଜାମ ରହୁଥିବାରୁ ମଶା ବଢୁଛନ୍ତି ଏବଂ ସେମାନେ ଡେଙ୍ଗୁ ବଢ଼ାଉଛନ୍ତି । ମେୟର କହିଛନ୍ତି, ପରିବେଶର ପରିଷ୍କାର ପରିଚ୍ଛନ୍ନତା ସହିତ ଚିକିତ୍ସାକୁ ବି ଗୁରୁତ୍ୱ ଦିଆଯାଉଛି ।

  • Reported by:
  • PRAVAT BISOI , ARACHANA SATPATHY , BIBARTAN PANDA