• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଲୋକର ପର୍ବ ଦୀପାବଳି ପାଇଁ ବିଏମସିର ପ୍ରସ୍ତୁତି ବୈଠକ l ଦୀପାବଳିକୁ କିପରି ସବୁଜ, ସ୍ୱଚ୍ଛ, ସୁରକ୍ଷିତ ଭାବେ ପାଳନ କରାଯିବ ସେନେଇ ଆଲୋଚନା ହୋଇ ଯାଇଛି । ଅନ୍ୟପଟେ ରାଜଧାନୀବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ l ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ପାଳନ କରାଯିବ ଦୀପାବଳି l

ବେପାରୀ ମାନେ ଏଣେତେଣେ ବସି ବ୍ୟବସାୟ କରିପାରିବେ ନାହିଁ । ବାଣ ଦୋକାନ ପାଇଁ ୨୧ ଟି ସ୍ଥାନକୁ ଚିହ୍ନଟ କରା ଯାଇଛି । ବାଣ ବେପାର ସମୟରେ କୌଣସି ଅଘଟଣ ନିମନ୍ତେ ଆବଶ୍ୟକ ପାଣି, ବାଲି ଓ ଡଷ୍ଟବିନ ମହଜୁଦ ରଖିବେ । ଜନବସତି ଠାରୁ ଦୂରରେ ସ୍ଥାନ ଦିଆଯାଇଛି, ସେଠାରେ ବ୍ୟବସାୟ କରିବେ l ବ୍ୟବସାୟ ସହ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିବା ମେୟର ସୂଚନା ଦେଇଛନ୍ତି ।

ସୁରକ୍ଷା ପାଇଁ ବ୍ୟବସାୟୀ ମାନେ ଅଗ୍ନିନିର୍ବାପକ ଯନ୍ତ୍ର ମଧ୍ୟ ରଖିବାକୁ କୁହା ଯାଇଛି । ଏହା ସହ ଜଏଣ୍ଟ ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯାଇଛି l ଟିମରେ ବିଏମସି, ପ୍ରଦୂଷଣ ବୋର୍ଡ ଓ ପୋଲିସ ଅଧିକାରୀ ମିଳିତ ଭାବେ ରହିବେ l ବିଏମସି ଅଞ୍ଚଳରେ ଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଖାଦ୍ୟର ଗୁଣବତ୍ତା ମାନ ବଜାୟ ରଖିବାକୁ କୁହା ଯାଇଛି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ୱାଟକୋ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ ଆଦି ବିଭାଗକୁ ସମନ୍ୱୟ ରକ୍ଷା କରି ନାଗରିକଙ୍କ ସୁରକ୍ଷା ପାଇଁ କାମ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଅନ୍ୟପଟେ ଦୀପାବଳିରେ କିପରି ବାଣ ଫୁଟାଇବେ ସେନେଇ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବାକୁ କହିଛି ଅଗ୍ନିଶମ ବିଭାଗ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି ।

ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବାକୁ ମନା କରା ଯାଇଛି । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି । କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକିବେ । ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ବିକିବେନି । ଅଗ୍ନି ନିର୍ବାପକ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି ।