• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରକ୍ତ ଭଣ୍ଡାର ଅଛି, ହେଲେ ରକ୍ତ ନାହିଁ । ଡାକ୍ତର ଲେଖୁଛନ୍ତି ରୋଗୀଙ୍କୁ ରକ୍ତ ଦରକାର, ରକ୍ତ ଭଣ୍ଡାର ସାମ୍ନାରେ ଘଂଟା ଘଂଟା ଅପେକ୍ଷା କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ହେଲେ ରକ୍ତ ମିଳୁନି । ଘଂଟେ କି ୨ ଘଂଟା ନୁହେଁ ବରଂ ୨ ରୁ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏହାପରେ କାହାକୁ କାହାକୁ ରକ୍ତ ମିଳୁଛି ତ ଆଉ କାହାକୁ ରକ୍ତ ମିଳୁନି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା  ଅପେକ୍ଷା କରି ରହୁଛନ୍ତି ରୋଗୀ ।

ଅଧିକ ପଢ଼ନ୍ତୁ: ବଡ଼ ମେଡ଼ିକାଲରେ ବଡ଼ ସଙ୍କଟ, ଖରା ଦିନେ ରକ୍ତ ଅଭାବ, ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି

ଜାଣି ଆଶ୍ଚର୍ଯ୍ୟ ହେବେ କି, ରୋଗୀଙ୍କୁ ରକ୍ତ ନେବା ପାଇଁ ୨ ଦିନ ବି ଲାଗିଯାଉଛି । କିଏ ମାଆଙ୍କ ଚିକିତ୍ସା ପାଇଁ ତ ଆଉ କିଏ ପିଲାର ଚିକିତ୍ସା ଲାଗି ଲାଇନ୍‌ରେ ରହୁଛନ୍ତି ସତ ହେଲେ କିଛି ସୁଫଳ ମିଳୁନି । ଏପଟେ ରୋଗୀଙ୍କ ସଂପର୍କୀୟ ବି ହଟହଟ୍ଟା ହେଉଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋଗୀଙ୍କ ସମ୍ପର୍କୀୟ ଡୋନର ଯୋଗାଡ କରିବା ପରେ ମଧ୍ୟ ଷ୍ଟକ୍‌ ନଥିବାରୁ ସାଙ୍ଗେ ସାଙ୍ଗେ ରକ୍ତ ମିଳୁନି । ତେଣୁ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ଅଭିଯୋଗ ବି ହୋଇଛି ।

ପ୍ରତିଦିନ ମେଡିକାଲକୁ ୫୦ରୁ ୬୦ ପ୍ୟାକେଟ ରକ୍ତର ଆବଶ୍ୟକତା ରହିଛି । ବିଶେଷ କରି ନେଗେଟିଭ୍‌ ଗ୍ରୁପ୍‌ର ବ୍ଲଡ୍‌ ଏଠାରେ ଅଭାବ ଦେଖାଦେଇଛି । ତେଣୁ ଚିନ୍ତାରେ ରୋଗୀ । ତେବେ ଆଗାମୀ ଦିନରେ ରକ୍ତଦାନ ଶିବିର ହେବାର କାର୍ଯ୍ୟକ୍ରମ ରହିଛି, ଏହାସହିତ ଅଧିକରୁ ଅଧିକ ରକ୍ତଦାନ କରିବାକୁ ନିବେଦନ କରିଛନ୍ତି ମେଡିକାଲ ସୁପରିଟେଣ୍ଡଣ୍ଟ । ଖାଲି ଏତିକି ନୁହେଁ ଦରକାର ପଡିଲେ ପଡୋଶୀ ଜିଲ୍ଲାରୁ ରକ୍ତ ଆଣି ରୋଗୀଙ୍କୁ ଦିଆଯିବ ବୋଲି କହିଛନ୍ତି ।

ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ୫-ଟି ମାଧ୍ୟମରେ ମେଡିକାଲର ବିକାଶ ହେଉଛି, ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ହେଲେ ଦକ୍ଷିଣ ଓଡ଼ିଶାର ସବୁଠୁ ବଡ ମେଡିକାଲରେ ଅବସ୍ଥା ଦେଖିଲେ ରାଜ୍ୟରେ କେମିତି ସ୍ୱାସ୍ଥ୍ୟସେବା ଚାଲିଛି ତାହା ଜଳଜଳ ହୋଇ ଦିଶିବ ।

  • Reported by:
  • JAGANATH SAHU