• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ଭାଙ୍ଗିଛି ରୋଷଘର ଚୁଲି ? ୪୮ ଘଣ୍ଟା ପରେ ବି ଧରାପଡ଼ିନି ଜଗା ଚୁଲି ଭଙ୍ଗା ଦୁର୍ବୃତ୍ତ । ଜଣାପଡ଼ିନି ଶ୍ରୀମନ୍ଦିରରେ ଏତେ ବଡ଼ ଦୁଃସାହସ ପଛର କାରଣ କଣ । ତେବେ ସିସିଟିଭି ଫୁଟେଜ୍‌ରୁ ଜଣେ ସନ୍ଦିଗ୍ଧକୁ ତିନି ଜେଟିପି ବାହାରକୁ ଆଣୁଥିବା ନଜରକୁ ଆସିବା ପରେ ଏବେ ସେଇ ସନ୍ଦିଗ୍ଧ ଉପରେ ତଦନ୍ତର ଆଖି । ସନ୍ଦିଗ୍ଧ ଜଣକ କିଏ ଜଣାପଡୁ ନଥିବାରୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି । ଏପଟେ ଘଟଣାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ଏହାକୁ ସରକାରୀ ପ୍ରାୟୋଜିତ କହି ବର୍ଷିଥିବା ବେଳେ ବିଜେପି ମଧ୍ୟ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରିଛି ।

ହେଲେ ସିସିଟିଭିରେ ଥିବା ଲୋକ କିଏ ? କେହି ଜାଣି ପାରୁନାହାନ୍ତି । ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି । ଏପରିକି ପୁରୀର ବିଭିନ୍ନ ଥାନାଧିକାରୀମାନେ ମୋବାଇଲ୍‌ରେ ସଂପୃକ୍ତ ବ୍ୟକ୍ତିର ଫଟୋ ଧରି ଲୋକଙ୍କୁ ଦେଖାଉଛନ୍ତି । କାଳେ କିଏ ତାଙ୍କୁ ଦେଖିଥିବେ । ତେବେ ସବୁଠୁ ବଡ଼ କଥା ହେଉଛି ଶ୍ରୀମନ୍ଦିର ତ୍ରିସ୍ତରୀୟ ସୁରକ୍ଷା ଭେଦି ସେ ଲୋକ ଶ୍ରୀମନ୍ଦିର ଭିତରକୁ ଗଲା କେମିତି ? ସେତେବେଳେ ଦାୟିତ୍ୱରେ ଥିବା ଜଗନ୍ନାଥ ଟେମ୍ପୁଲ୍ ପୋଲିସ୍ ବା ଜେଟିପି କରୁଥିଲେ କଣ ?

ରାତିରେ ଶୋଧ ସମୟରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଟିକିନିଖି ଯାଞ୍ଚ ହୋଇଥିଲା ତ ? ଏହା ବି କୁହାଯାଉଛି ଜେଟିପି ଯେତେବେଳେ ସଂପୃକ୍ତ ସନ୍ଦିଗ୍ଧଙ୍କୁ ବାହାରେ ଛାଡ଼ିଲେ, ତା ପୂର୍ବରୁ ଗାରଦରେ ଚୁଲି ଭଙ୍ଗା ଖବର ପହଞ୍ଚି ସାରିଥିଲା । ଯଦି ଖବର ଥିଲା ସନ୍ଦିଗ୍ଧଙ୍କୁ ଛଡ଼ା ଯାଉଥିଲା କେମିତି ? ଯଦି ସେଇ ଲୋକ ଉପରେ ଚୁଲି ଭଙ୍ଗାର ସଂପୂର୍ଣ୍ଣ ସନ୍ଦେହ, ସେ ଲୋକର କେବଳ ରୋଷଘର ଚୁଲିକୁ ଟାର୍ଗେଟ୍ କରିବାର କାରଣ କଣ? ଜଣେ ଏକା ଏତେ ଚୁଲି ଭାଙ୍ଗିଥିବ ନା, ଏଥିରେ ଏକାଧିକ ଲୋକ ସଂପୃକ୍ତ ଥିବେ ?

 

ଏସ୍‌ପିଙ୍କ ସୂଚନା ଅନୁଯାୟୀ ଯେଉଁ ୩ ଜେଟିପି ସନ୍ଦିଗ୍ଧଙ୍କୁ ନେଇ ବାହାରେ ଛାଡ଼ିଥିଲେ, ସେମାନେ ସେଦିନ ତାକୁ ପ୍ରଥମେ ଦେଖିଥିଲେ ନା ପୂର୍ବରୁ ଦେଖିଥିଲେ ତାର ପଚରାଉଚରା ଚାଲିଛି । ଜିଲ୍ଲାପାଳ ବି କହିଛନ୍ତି ସିସିଟିଭି ଫୁଟେଜ୍‌ରୁ ପୋଲିସ୍ ହାତରେ କିଛି ସୁରାକ ଲାଗିଛି, ଜେଟିପି ମାନଙ୍କୁ ମଧ୍ୟ ତଦନ୍ତ ପରିସର ଭିତରକୁ ନିଆଯାଇଛି । ହେଲେ ଶନିବାର ରାତିରେ ସୁରକ୍ଷା ବ୍ୟବସ୍ଥାର ଧଜିଆ ଉଡ଼ାଇଥିବା ଏ ଘଟଣାରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତିତ ସେବାୟତ ।

ଏପଟେ ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ରାଜନୀତି ବି ତେଜିଛି । କଂଗ୍ରେସ ଅଭିଯୋଗ କରିଛି ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ହରଡ଼ଘଣାରେ ଫସିଥିବା ସରକାର ଏହା ଉପରୁ ନଜର ହଟାଇବା ପାଇଁ ଏଭଳି କରୁଛନ୍ତି । ଏହା ସରକାରୀ ପ୍ରାୟୋଜିତ ଅଘଟଣ । ବିଜେପି ଏକ ପ୍ରେସ୍ ରିଲିଜ୍ କରି ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି ।