• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ମତରେ ହେଉଛି ବାରମ୍ବାର ପରିବର୍ତ୍ତନ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ତିନି ଦିନରେ ବାରମ୍ବାର ସଫେଇ ଦେଇ ପ୍ରକଳ୍ପକୁ ବେଆଇନ୍ ବୋଲି କହୁଛନ୍ତି ବିଧାୟକ । ହେଲେ ଅନ୍ୟପଟେ କହୁଛନ୍ତି ନିର୍ମାଣ କାମ ଶୀଘ୍ର ସାରିବାକୁ ।

ଆଜି ମଧ୍ୟ ପ୍ରେସ୍‌ମିଟ୍ କରି ଅନୁରୂପ ଭାବେ ସେ କହିଛନ୍ତି, ‘କାମକୁ ବିରୋଧ କରୁନି, କିନ୍ତୁ କାମକୁ ଶୀଘ୍ର ଶୀଘ୍ର ସାରିବାକୁ ହେବ ।’ ଗୋଟିଏ ପଟେ ନିଜ ଦଳରୁ ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ର ଏହି ନିର୍ମାଣ କାମକୁ ବେଆଇନ୍ ବୋଲି କହୁଥିବା ବେଳେ ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ କିନ୍ତୁ ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀଙ୍କ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ରାଜନୀତି ମହଲଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି । ବେଆଇନ୍ କହି ମଧ୍ୟ ସେହି ସମାନ କଥାକୁ ଜୟନ୍ତଙ୍କୁ ବାରମ୍ବାର କାହିଁକି କହିବାକୁ ପଡୁଛି ? କାହା ଚାପରେ ଅଛନ୍ତି କି ଜୟନ୍ତ ? ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଆଜି ଅଭିଯାନର କର୍ମକର୍ତ୍ତା ଏକ ପ୍ରେସମିଟ୍ କରି ସରକାର ତୁରନ୍ତ ଖନନ କାର୍ଯ୍ୟ ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି । ବାଲିର ଗଦା ଉପରେ ଶ୍ରୀମନ୍ଦିର ନିର୍ମିତ ତେଣୁ ମନ୍ଦିର ଚତୁର୍ପାର୍ଶ୍ୱରେ ଖନନ ହେଲେ ବିପଦ ଆଣିବ । ମଠଗୁଡ଼ିକ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିଲା, ତାହାକୁ ଭାଙ୍ଗି ଦିଆଗଲା । ଏହି ସ୍ଥିତିରେ ଯଦି ବାଲି ଧସିଲା, ତାହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିବ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ କୁହାଯାଇଛି ।

ସରକାର ଖନନ ବନ୍ଦ ନକଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ, ଗଣଧାରଣା ଦିଆଯିବ, ସାଧୁସନ୍ଥଙ୍କୁ ଡାକି ବିରୋଧ ପ୍ରଦର୍ଶନ କରାଯିବ । ଦରକାର ପଡିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରହିତା ଦେଶ ପାଇଁ ନିବେଦନ କରିବୁ ବୋଲି କହିଛନ୍ତି ଅଭିଯାନର କର୍ମକର୍ତ୍ତା । ୪ଟି ଟଏଲେଟ୍ ପାଇଁ କଣ ୮ ଶହ କୋଟିର ବଜେଟ୍ କରାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି କର୍ମକର୍ତ୍ତା ।