• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାୱାର କଟ୍‌କୁ ସିଧାସଳଖ ମାନିଲେନି, ହେଲେ ସତ ଧରାଇ ଦେଲେ ଖୋଦ୍ ଶକ୍ତିମନ୍ତ୍ରୀ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ହେଉଛି ବିଜୁଳି ବିଭ୍ରାଟ । ତଥ୍ୟ କହୁଛି ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଲାଣି । ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଥିବାବେଳେ ଖୋଦ ବିଜେଡି ସାଂସଦ ବି ଏନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଭିତରେ ଆସନ୍ତାକାଲି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ।

ମାନିଲେ ଶକ୍ତିମନ୍ତ୍ରୀ । ଆଉ ତା ସହ ନିଜ ବିଭାଗର ପୋଲ୍ ନିଜେ ଖୋଲିଲେ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ଯାଉଛି ବିଜୁଳି । ଏଠି ପ୍ରଶ୍ନ ଦୁର୍ବଳ ଭିତ୍ତିଭୂମି ପାଇଁ ଦାୟୀ କିଏ ? ଲଗାତାର ୨୩ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ଉତ୍ତରଦାୟୀ ନୁହେଁ କି ? ଅନ୍ୟପଟେ ଭିତ୍ତିଭୂମି ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କାହିଁକି ସୁଧୁରୁନି ଭିତ୍ତିଭୂମି ସ୍ଥିତି ? ବିଧାନସଭା ଷ୍ଟାଣ୍ଡିଂ କମିଟି ତଥ୍ୟା ଅନୁସାରେ ଆଜି ଯାଏଁ ୧୦ରୁ ଅଧିକ ଯୋଜନାରେ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ ହୋଇଛି ।

ଟାଟା ପାୱାର ହାତକୁ ନେବା ପରେ ୨୦୨୧-୨୨ରେ ୨ ହଜାର କୋଟି ଖର୍ଚ୍ଚ ପାଇଁ ମଧ୍ୟ OERCଙ୍କ ଠାରୁ ଅନୁମତି ଆଣିଥିଲା । ବଡ କଥା ହେଉଛି, ୨୦୨୧-୨୨ ମସିହାରେ OERCଙ୍କ ନିକଟରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପ୍ଲାନ ଆବେଦନବେଳେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିରେ ନିମ୍ନ ମାନର କାମକୁ କାରଣ ଦର୍ଶାଇଥିଲା କଂପାନୀ । ଅର୍ଥାତ ପୂର୍ବରୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାରେ ନିମ୍ନ ମାନର କାମ ଯୋଗୁଁ ସୁଧୁରୁନି ସ୍ଥିତି । ହେଲେ ଏଥି ପାଇଁ ଦାୟୀ କିଏ ? ମନ୍ତ୍ରୀଙ୍କ ଭିତ୍ତିଭୂମି ଅଭାବ ବୟାନ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଏଥିପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ କୁଆଡେ ଗଲା ବୋଲି ପଚାରିଛନ୍ତି ବିଜେପି ଓ କଂଗ୍ରେସ । ଦାବି କରିଛନ୍ତି, ଖର୍ଚ୍ଚକୁ ନେଇ ଶ୍ୱେତ ପତ୍ର ପ୍ରକାଶ କରାଯାଉ । ବଡ଼କଥା ହେଲା ଖୋଦ୍ ବିଜେଡି ସାଂସଦ ଅମର ପଟ୍ଟନାୟକ ମଧ୍ୟ ବିଜୁଳି ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଶକ୍ତି ବିଭାଗ ପାଖରେ ବିପର୍ଯ୍ୟୟ ବ୍ୟାକଅପ୍ ପ୍ଲାନ ନାହିଁ ।

ଏପଟେ ଲୋକଙ୍କ ଦୁର୍ଦ୍ଦଶାକୁ ଦୁଇଗୁଣ କରିଛି କାଳବୈଶାଖୀ । ଅସରାଏ ବର୍ଷା ଆଉ ପବନରେ ଠପ ହେଇଯାଉଛି ବିଜୁଳି ସେବା । କଟକ ଜିଲ୍ଲା ବଡମ୍ବା ବ୍ଲକ ବଡକମ୍ବିଲୋ ବାସୀଙ୍କ ଦୁଃଖ କହିଲେ ନସରେ । ୧୬ ଦିନ ତଳେ କାଳବୈଶାଖୀରେ ପୋଡ଼ିଗଲା ଟ୍ରାନ୍ସଫର୍ମର । ସେହି ଦିନଠୁ ବିଜୁଳିର ଦେଖାନାହିଁ । ତାଳଚେରରେ ଶନିବାର କାଳବୈଶାଖୀ ତାଣ୍ଡବରେ ଲୋଟି ପଡିଥିଲା ୩୩ କେଭି ବିଦ୍ୟୁତ ଖୁଣ୍ଟ । ବର୍ତ୍ତମାନ ଯାଏଁ କରେଣ୍ଟ ଆସିନି । ହେଲେ ଲୋକଙ୍କ ଅଭିଯୋଗ ବର୍ଷା-ପବନ ଆସିବା ପୂର୍ବରୁ ବି ଏଠି କଟାଯାଉଛି କରେଣ୍ଟ । ସମାନ ସ୍ଥିତି ରହିଛି ନାରୟଣପାଟଣାରେ । କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ପୋଲ କିଛି ଭାଙ୍ଗି ଯିବାରୁ ଏଠି ବି ଗାୟବ ବିଜୁଳି ।

ପୂର୍ବରୁ ବିଜୁଳି ବିଭ୍ରାଟ ନେଇ ଉଦବେଗ ପ୍ରକାଶ କରିଥିବା ମୁଖ୍ୟ ଶାସନ ସଚିବ ଆସନ୍ତାକାଲି ଏନେଇ ସମୀକ୍ଷା କରିବେ । ଦେଖିବାର କଥା ସମୀକ୍ଷା ପରେ ଆକ୍ସନ ମୋଡକୁ ଆସୁଛି ନା ନାହିଁ ଶକ୍ତି ବିଭାଗ ।