Advertisment

ଓଡ଼ିଶାରେ ଆସିଛି ବିଜେପି ସରକାର: ଖୋଲିବେ କି ସବୁ ବଡ଼ ଘଟଣାର ଫାଇଲ୍ ?

ବିଜେପି ସରକାର ଆସିଲେ ଖୋଲିବେ କି ରାଜ୍ୟର ସବୁ ବଡ଼ ଘଟଣାର ଫାଇଲ୍ ? ଚିଟଫଣ୍ଡ, ରତ୍ନଭଣ୍ଡାର ଚାବି, ମନ୍ତ୍ରୀ ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ତଦନ୍ତ ଗ୍ୟାରେଣ୍ଟିକୁ ନେଇ ବଢିଛି ଆଶା ।

author-image
Sujit kumar Swain
undefined

BJP aims to complete unfinished work

ଓଡ଼ିଶାରେ ଆସିଛି ବିଜେପି ସରକାର। ଖୋଲିବ ଫାଇଲ୍, ଜେଲ୍ ଯିବେ ଦୋଷୀ। ଚିଟଫଣ୍ଡରୁ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅବା ମନ୍ତ୍ରୀ ନବ ଦାସ ମର୍ଡର କେସରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା। ବିଜେଡି ସରକାର ଅମଳର ଏସବୁର କାଣ୍ଡକାରଖାନାର ତଦନ୍ତ ନେଇ ଖୋଦ୍ ମୋଦି ଓ ଶାହାଙ୍କ ଗ୍ୟାରେଣ୍ଟି ପରେ ବଢିଛି ଆଶା। ତେଣେ ଦୋଷୀ ଯେତେ ପାୱାରଫୁଲ୍ ହେଲେ ବି ଜେଲ୍ ଯିବା ନିଶ୍ଚିତ କହିଲେଣି ଖୋଦ୍ ବିଜେପି ନେତା। 

Advertisment

ଚିଟ୍‌ଫଣ୍ତ ଟଙ୍କା ଖାଇଛି କିଏ ? ରତ୍ନଭଣ୍ଡାରର ଡ୍ୟୁପ୍ଲିକେଟ୍ ଚାବି ପୁଣି କୁଆଡୁ ଆସିଲା ? କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡର ଅସଲ ଭିଲେନ୍ କିଏ ? କାହିଁକି ବାଟବଣା ହୋଇଗଲା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟାର ତଦନ୍ତ ? ଦୀର୍ଘ ୨୫ବର୍ଷ ଧରି ଓଡ଼ିଶାରେ କ୍ଷମତାରେ ଥିବାବେଳେ ବିଜେଡି ସରକାର ଅମଳରେ ଘଟିଥିବା ଏମିତି ମାଳ ମାଳ ଲୋମଟାଙ୍କୁରା ଓ ଚର୍ଚ୍ଚିତ ଘଟଣାର ଖୋଲିବ କି ଫାଇଲ୍। ଓଡ଼ିଶାକୁ ନିର୍ବାଚନୀ ପ୍ରଚାରରେ ଆସି ହଜାର ହଜାର ଲୋକଙ୍କ ଆଗରେ ସିଧା ସଭାମଞ୍ଚରୁ ଖୋଦ୍ ମୋଦିଙ୍କଠୁ ଶାହଙ୍କ ଯାଏଁ ଏସବୁ ମାମଲାର ତଦନ୍ତ ପାଇଁ ଗ୍ୟାରେଣ୍ଟି ଉପରେ ଚାଲିଲାଣି ଜୋରଦାର ଚର୍ଚ୍ଚା ଆଲୋଚନା। 

ପୁରୀରେ ସେବାୟତ ବି କହିଲେଣି- ମୋଦି ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା ପାଳନ କରନ୍ତି। ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି କିଏ ଓ କାହିଁକି ତିଆରି କରିଥିଲା ? ପରିକ୍ରମା ପ୍ରକଳ୍ପ ନାଁରେ ୪୨ ଶହ କୋଟି କିଏ ଖାଇଲା ? ୪ଦ୍ବାର ନଖୋଲିବାକୁ କିଏ ନିର୍ଦ୍ଦେଶ ଦେଇଥିଲା ? ଏ ସବୁ ଗୋଟି ଗୋଟି କରି ଲୋକଲୋଚନକୁ ଆସିଯିବ, କେବଳ ନୂଆ ବିଜେପି ସରକାରର ଶପଥ ଗ୍ରହଣକୁ ଅପେକ୍ଷା। ସେମିତି କଳଙ୍କି ଲାଗିଥିବା ଚିଟ୍‌ଫଣ୍ତ ଘୋଟାଲାର ପେଡ଼ି ପୁନଃ ଖୋଲି ପରଦା ପଛର ଚୋରଙ୍କୁ ଜେଲ୍‌ରେ ପୂରାଇବା ସହ ଗରିବ ଲୋକଙ୍କ ଟଙ୍କା ଫେରାଇବାକୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ବିଜେପି ସରକାର ନିଶ୍ଚେ ପାଳନ କରିବ ବୋଲି ଆଶା ରଖିଛି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ।

Advertisment

ଓଡ଼ିଶାରେ ନୂଆ ବିଜେପି ସରକାରଠୁ ନ୍ୟାୟ ମିଳିବାର ଆଶା ଏଇଠି ସରିନି । ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ତିଥିରେ କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସହ ତାଙ୍କର ୪ ଶିଷ୍ୟଙ୍କୁ ନିର୍ମମ ହତ୍ୟାର ତଦନ୍ତ ଫାଇଲ୍ ବି ଖୋଲିବା ନେଇ ବଢ଼ିଛି ଆଶା। ସ୍ବାମୀଜୀଙ୍କ ଅନୁଗାମୀଙ୍କ ଅଭିଯୋଗ-ଉକ୍ତ ଘଟଣାରେ ତିନି ତିନିଟି କମିଶନ ଯଥାକ୍ରମେ ପାଣିଗ୍ରାହୀ କମିଶନ, ମହାପାତ୍ର କମିଶନ ଓ ନାଇଡୁ କମିଶନଙ୍କ ରିପୋର୍ଟକୁ ବିଜେଡି ସରକାର ଚାପି ରଖିଲେ। ଦୋଷୀ ଖୋଲାଖୋଲି ବୁଲିଲେ। ନୂଆ ସରକାର ଏହାର ସିବିଆଇ ତଦନ୍ତ କରାଇଲେ ସତ ପଦାକୁ ଆସିବ। 

ସେମିତି ଗତବର୍ଷ ଜାନୁଆରୀ ୨୯ରେ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଭାବେ ମନ୍ତ୍ରୀ ନବ ଦାସଙ୍କୁ ବିଚ୍ ରାସ୍ତାରେ ଗୁଳିକରି ହତ୍ୟା ପଛର ଅସଲ ଭିଲେନ୍ କିଏ ? ସେ ଫାଇଲ୍ ବି ଖୋଲାଯିବା ଦରକାର ବୋଲି ଉଠିଲାଣି ଦାବି। ଏହାଛଡ଼ା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମାଲା, ପିହୁ ନିଖୋଜ ମାମଲା, କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର, ବ୍ରହ୍ମଗିରିର ଆୟୁଷ ଡାକ୍ତରାଣୀ ମାଧବୀଲତା ହତ୍ୟା ମାମଲା ହେଉ କି ମାହାଙ୍ଗା ଡବଲ ମର୍ଡର ଘଟଣା, ସବୁ ପଛରେ ବିଜେଡି ସରକାରର ଜଣେ ଜଣେ ପୂର୍ବତନ ଟାଣୁଆ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଥିଲେ ବି ତଦନ୍ତର ଦିଗକୁ ମୋଡ଼ି ମକଚି ଦିଆଯାଇଥିବା ଅଭିଯୋଗ ହୋଇଛି। ଏମିତିକି ଏସବୁ ମାମଲାରେ ପୀଡ଼ିତଙ୍କ ପରିବାର ଲୋକଙ୍କ ପକ୍ଷରୁ ନୂଆ ସରକାରଠାରୁ ନ୍ୟାୟ ମିଳିବା ଆଶାରେ, ଆଜି ଶ୍ରୀମନ୍ଦିର ଆଗରେ ଦୀପଦାନ ବି କରାଯାଇଛି।

ଏଣେ ରାଜ୍ୟ ବିଜେପି ନେତା ବି ଖୋଲାଖୋଲି କହିଲେଣି, ରାଜ୍ୟରେ ଯେ କୌଣସି ବଡ଼ ଦୁର୍ନୀତି ହେଉ କି ହତ୍ୟା ମାମଲା, ସବୁର ତଦନ୍ତ ହେବ। ଯେତେବଡ଼ ନେତା ହୋଇଥାନ୍ତୁ ନା କାହିଁକି ସେମାନଙ୍କୁ ଜେଲ୍ ପଠାଯିବ, ମୋଦିଙ୍କ ଗ୍ୟାରେଣ୍ଟି ନିଶ୍ଚେ ପାଳନ ହେବ।

BJP Government
Advertisment
Advertisment