• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଭୁଶୁଡ଼ିଲା ଆଉ ଏକ ବିଜୁ ସେତୁ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମନ୍ତେଇଠାରେ ଅଶ୍ରୁଖଳା ନାଳ ଉପରେ ନିର୍ମାଣାଧିନ ବିଜୁ ସେତୁର ଗୋଟିଏ ସ୍ପାନ ଭୁଶୁଡ଼ି ପଡ଼ିଛି । ୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି ।

ପୋଲଟିରେ ୭ଟି ଖୁଣ୍ଟ ହେବାକୁ ଥିବାବେଳେ ୨ ନମ୍ବର ପିଲରର କାମ ଚାଲିଥିଲା । ତେବେ ସଟରିଙ୍ଗ ଦବି ଯିବାରୁ ସ୍ପାନ୍‌ର ଛାତରୁ କଂକ୍ରିଟ ଗଳି ପଡ଼ିଛି । କେବଳ ବାଇଣ୍ଡିଂ ହୋଇଥିବା ରଡ୍ ଝୁଲି ରହିଛି । ତେବେ ପୋଲରେ କାମ କରୁଥିବା ଶତାଧିକ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନିମ୍ନମାନର ବାଲି, ସିମେଣ୍ଟ ବ୍ୟବହାର ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ପୋଲ ଭୁଶୁଡ଼ି ପଡ଼ିବା ପରେ ଠିକାଦାର ଓ ବିଭାଗୀୟ ଅଧିକାରୀ ନିର୍ମାଣସ୍ଥଳରୁ ପଳାଇ ଯାଇଛନ୍ତି । ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ଥିବାରୁ ଯୋଗାଯୋଗ ହୋଇପାରିନାହିଁ ।

ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଜାନୁଆରୀରେ ବିଜୁ ସେତୁ ଭୁଶୁଡ଼ିଥିଲା । ସେଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ବିଜୁ ସେତୁ ଭୁଶୁଡିବା ଘଟଣାରେ ସହକାରୀ ଯନ୍ତ୍ରୀ( Assistant Engineer) ଅସିତ ପାତ୍ରଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତାଲାପଦରର । ବିଜୁ ସେତୁ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣାରେ ଠିକାଦାର, ଜେଇ ଓ AEଙ୍କ ନାଁରେ ମାମଲା ହୋଇଥିଲା ।

ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ସମ୍ପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଉନ୍ନୟନ କମିଶନର ଜିଳ୍ଲାପାଳଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ । ଏହାସହ ଗିରଫ କରିବାକୁ ବି ନିର୍ଦ୍ଦେଶନାମାରେ କହିଥିଲେ ଉନ୍ନୟନ କମିଶନର ।