• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୧ ଦିନ ପରେ ବି ଶିକ୍ଷକ ଆନ୍ଦୋଳନର ନିଷ୍କର୍ସ ବାହାରି ପାରୁନି । ଏପଟେ ସ୍କୁଲ୍ ଆଗରେ ଅଭିଭାବକ ମାନେ ପ୍ରତିବାଦ ଜଣାଇ କହିଲେଣି ଆମ ଶିକ୍ଷକଙ୍କୁ ଫେରାଇଦିଅ । ଏହାରି ଭିତରେ ଆଜି ହଠାତ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବସି ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରାଯାଇଛି । ଅନ୍ୟପଟେ ଅଧ୍ୟାପକ ସଂଘ ବି ଆସନ୍ତା ୨୫ ତାରିଖରୁ କାର୍ଯ୍ୟବନ୍ଦ ଲାଗି ଅଣ୍ଟାଭିଡିଛି । ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜୋର ଧରିଛି ।

ଶିକ୍ଷକ ଆନ୍ଦୋଳନ ଥମିବାର ନାଁ ଧରୁନି । ବସିଲା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ । ହେଲେ ନିର୍ଯାସ ବାହାରି ପାରିଲାନି । ଶେଷରେ ଦାବି ସମ୍ପର୍କରେ ବିଚାର କରୁଥିବା କହି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅର୍ଥମନ୍ତ୍ରୀ ଅନୁରୋଧ କଲେ ସଂଘକୁ । ପ୍ରାଥମିକ ଶିକ୍ଷକ ସଂଘ କିନ୍ତୁ ଜିଦରେ ଅଟଳ । ୩ ଦଫା ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ରୋକଠୋକ୍ କହିଛନ୍ତି ଆନ୍ଦୋଳନରତ ଶିକ୍ଷକ । ସେପଟେ ଶିକ୍ଷକମାନେ ଆନ୍ଦୋଳନରେ ଥିବାରୁ ସ୍କୁଲରେ ପାଠପଢା ଠପ୍ । ଯେଉଁଥିଲାଗି ଆଜିଠାରୁ ଅଭିଭାବକମାନେ କିଛି ସ୍କୁଲ୍ ଆଗରେ ପ୍ରତିବାଦ ମଧ୍ୟ କରିଛନ୍ତି । ସରକାରଙ୍କୁ ନିବେଦନ କରୁଛନ୍ତି ଶିକ୍ଷକଙ୍କୁ ତୁରନ୍ତ ସ୍କୁଲକୁ ଫେରାଯାଉ ।

ତେଣେ ସମାନ କାମକୁ ସମାନ ଦରମା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଆସିଥିବା ୬୬୨ ବର୍ଗ ଅଧ୍ୟାପକ ସଂଘ ବି ୨୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଲାଗି ଚେତାବନୀ ଦେଇଛି । ଛୁଟିରେ ଆସି ମହାସମାବେଶ କରିବାକୁ ସଂଘ ଚେତାବନୀ ଦେଇଛି । ଅଧ୍ୟାପକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଗଲେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶିକ୍ଷାଦାନ ପ୍ରଭାବିତ ହେବ ।

ଶିକ୍ଷକ ଆନ୍ଦୋଳନ ସହ ତେଜୁଛି ରାଜନୀତି । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ବିରୋଧୀ ଦଳମାନେ ଶିକ୍ଷକଙ୍କ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବାକୁ ସଜବାଜ ହେଲେଣି । ଏଣେ ନିର୍ବାଚନକୁ ୭ ମାସରୁ କମ୍ ସମୟ ଥିବାରୁ ସରକାର ବି ଅକଳରେ । ଶିକ୍ଷକ ଓ ଅଧ୍ୟାପକଙ୍କ ଅସନ୍ତୋଷ ଭୋଟ୍ ଉପରେ ବଡ଼ ପ୍ରଭାବ ପକାଇପାରେ । ଆଉ ଶିକ୍ଷକଙ୍କ ଦାବିକୁ ମୂଳ ଅସ୍ତ୍ର କରି ସରକାର ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ବିଜେଡି କହିଛି, ଯୁକ୍ତି ଦାବି ହାସଲ ପାଇଁ ସ୍କୁଲ୍ ବନ୍ଦ ନିଷ୍ପତ୍ତି ଠିକ୍ ନୁହେଁ ।

ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିନ୍ନ ଭିନ୍ନ ତରିକାରେ ଆନ୍ଦୋଳନ ଚାଲିଛି । ପ୍ରାଥମିକ ଶିକ୍ଷୟିତ୍ରୀ ନିଳିମା ସାହୁଙ୍କ ସରକାରଙ୍କୁ କଟାକ୍ଷ କରି ଗାଇଥିବା ଗୀତ ଏବେ ଭାଇରାଲ୍ ହେଉଛି । ସେହିପରି ନୂଆପଡ଼ାରେ ଜଣେ ଆନ୍ଦୋଳନରତ ଶିକ୍ଷକ ଗୀତ ଓ ମିମିକ୍ରି ମାଧ୍ୟମରେ ଦାବି ଉପସ୍ଥାପନ କରୁଛନ୍ତି । ଆଉ ଯାଜପୁରରେ ଶିକ୍ଷକ ମାନେ ବିରଜାଙ୍କ ପୀଠରେ ପ୍ରତିବାଦ ସ୍ୱରୂପ ଦୀପ ଦାନ କରିଛନ୍ତି । ତେବେ ସମାଧାନର ସୂତ୍ର କେବେ ବାହାରୁଛି ତାଉପରେ ନଜର ।

  • Reported by:
  • JAGDISH DAS , MAYADHAR SARAF , Sanjeeb Nayak