• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୋକାନୀ ସଂଘର ଆନ୍ଦୋଳନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ । ଉଠା ଦୋକାନୀମାନଙ୍କୁ ଉଚ୍ଛେଦ ଦାବି ପୂରଣ ନହେବାରୁ ବନ୍ଦ ଡାକରା । ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ଉଚ୍ଛେଦ ଦାବି କରିଥିଲେ ଦୋକାନୀ ସଂଘ । ଉଠାଦୋକାନୀମାନେ ମାର୍କେଟ୍‌ ବିଲ୍ଡିଂ ମଝିରେ ବସି ବ୍ୟବସାୟ କରୁଛନ୍ତି । ଯାହାଫଳରେ ନାନା ସମସ୍ୟା ସୃଷ୍ଟି ହେଉଛି । ଗ୍ରାହକଙ୍କୁ ଧମକ ଚମକ ଦେବା ସହ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି । ଗାଡ଼ି ଭଙ୍ଗାରୁଜା କରୁଛନ୍ତି ବୋଲି ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ସମସ୍ୟାର ସମାଧାନ ନହେବା ଯାଏଁ ମାର୍କେଟ୍‌ ବିଲ୍ଡିଂ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସଂଘ ।

ଉଠା ଦୋକାନୀଙ୍କ ଯୋଗୁଁ ମାର୍କେଟ୍‌ ବିଲ୍ଡିଂ ଅଯଥା ଗହଳି ହେଉଛି । ରାସ୍ତାରେ ଯାଆ ଆସ କରି ହେଉନାହିଁ । ସାଧାରଣ ଲୋକମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି କରୋନା ସମୟରେ ଭିଡ଼ ମଧ୍ୟ ଜମୁଛି । ଉଠା ଦୋକାନୀଙ୍କ କାରଣରୁ ଦୋକାନ ଭଡ଼ା ନେଇ ଦୋକାନ କରିଥିବା ବ୍ୟବସାୟୀଙ୍କର ଘାଟା ହେଉଥିବା ମଧ୍ୟ କିଛି ଲୋକ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ବାହାରୁ ଯେ କେହି ଆସି ଏଠାରେ ଉଠା ଦୋକାନ କରି ବ୍ୟବସାୟ କରୁଛନ୍ତି । ଯାହାଫଳରେ ଭିଡ଼ ଜମୁଛି, ବିଭିନ୍ନ ସମୟରେ ଚୋରି ହେଉଛି, ଏମିତିକି ବାରମ୍ବାର ଅପରାଧ ଘଟୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ମାର୍କେଟ୍‌ ବିଲ୍ଡିଂରେ ପ୍ରାୟ ୬୦୦ରୁ ୭୦୦ ଉଠା ଦୋକାନୀ ବ୍ୟବସାୟ କରୁଛନ୍ତି । ଲଗାତର ଦୁଇ ତିନି ଦିନ ହେବ ସେଠାରେ ଉଠାଦୋକାନୀ ମାନେ ମାର ପିଟ୍‌, ଝଗଡ଼ା, ଗାଡ଼ି ଭଙ୍ଗାରୁଜା ଆଦି କରୁଥିବା ଦୋକାନୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ବୁଧବାର ପୂର୍ବାହ୍ନ ୧୧ ଟାରେ ବିଏମ୍‌ସି ଅଧିକାରୀଙ୍କ ସହ ଦୋକାନୀ ସଂଘର ଏକ ବୈଠକ ଡକାଯାଇଛି ।

ସେଠାରେ ଦୋକାନୀମାନେ ନିଜ ସମସ୍ୟା ସମ୍ପର୍କରେ BMC ଅଧିକାରୀଙ୍କ ସହ ଆଲୋଚନା କରିବେ । ଯଦି ସେମାନଙ୍କୁ ସନ୍ତୋଷଜନକ ପ୍ରତିଶ୍ରୁତି ମିଳିଲା, ତେବେ ସେମାନେ ଆନ୍ଦୋଳନରୁ ହଟିବେ । ଏହାସହ ବୁଧବାର ସନ୍ଧ୍ୟା ସୁଦ୍ଧା ମାର୍କେଟ୍‌ ବିଲ୍ଡିଂ ଖୋଲିବେ ନଚେତ୍‌ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦୋକାନ ବନ୍ଦ ରଖିବେ ବୋଲି ଚେତାବନୀ ଦେଇଛନ୍ତି ।