• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତିନି ଦିଗରେ ତିନି ମହାଦେବଙ୍କ ମନ୍ଦିର । ଚାରିପଟେ ଘେରା ଜଙ୍ଗଲ, ପାହାଡ଼ ଏବଂ ମହାନଦୀ । ମନ୍ଦିରର କାରୁକାର୍ଯ୍ୟ ଯେତେ ପୁରୁଣା ଏହା ପଛର କାହାଣୀ ବି ସେତେ ପୁରୁଣା । କଟକ ବଡ଼ମ୍ବାରେ ଥିବା ତ୍ରିକୁଟ ଧାମକୁ କାଳେ ଶ୍ରୀରାମ ଖୋଦ୍ ପ୍ରତିଷ୍ଠା କରିଥିଲେ । ବନବାସ ବେଳେ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ଦ୍ୱାରା ପ୍ରତିଷ୍ଠିତ ତିନି ଶିବ ମନ୍ଦିର ଆଜି ଇତିହାସକୁ ବୟାନ କରୁଛି ।

ପାହାଡ଼ ପର୍ବତ ଭିତରେ ମହାଦେବଙ୍କ ମନ୍ଦିର । ଚାରିପଟେ ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ଜଙ୍ଗଲ ଆଉ ଜଙ୍ଗଲ । ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଏହାର ଆୟୁ ଅନୁମାନ କରି ହେଉଥିବ । କଟକ ବଡ଼ମ୍ବାରେ ଅଛି ଏହି ତ୍ରିକୁଟ ଧାମ। ତିନିଟି ମନ୍ଦିର, ତିନିଟି ପୌରାଣିକସ୍ଥଳୀ । କାହିଁ କେବେଠୁ ଏମିତି ପୂଜା ପାଉଛନ୍ତି ରାମନାଥ, ବୈଦେଶ୍ୱର ଏବଂ ସିଂହନାଥ ମହାଦେବଙ୍କ ମନ୍ଦିର । ମହାନଦୀ କୂଳରେ ଥିବା ଏହି ତିନିଟି ମନ୍ଦିର ଯେତେ ପୁରୁଣା ଏହାର କାହାଣୀ ବି ସେତେ ରୋମାଞ୍ଚକର ।

ବିଶ୍ୱାସ ରହିଛି ଏହି ତିନିଟି ମନ୍ଦିରକୁ ପ୍ରତିଷ୍ଠା କରାଇଥିଲେ ଶ୍ରୀରାମ, ମାତାସୀତା ଓ ଭାଇ ଲକ୍ଷ୍ମଣ । ବନବାସ ବେଳେ ଏହି ବାଟ ଦେଇ ଯାଇଥିଲେ ରାମ । ଆଉ ରାସ୍ତାରେ ଶୋଷ ହେବାରୁ ସୀତାଙ୍କ ପାଇଁ କୁଣ୍ଡ ନିର୍ମାଣ କରିଥିଲେ । ସେହି କୁଣ୍ଡ ଏବେ ବି ଥିବା କୁହାଯାଉଛି । ଶ୍ରୀରାମ ତ୍ରିକୂଟ ପାହାଡ଼ ଉପରେ ଯେଉଁ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ତାହା ‘ରାମନାଥ’, ପାହାଡ଼ ପାଦଦେଶରେ ମାଆ ସୀତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବ ଲିଙ୍ଗକୁ ‘ବୈଦେଶ୍ୱର’ ଓ କିଛି ଦୂର ଟାପୁରେ ଅଧିଷ୍ଠିତ ସିଂହନାଥଙ୍କ ପ୍ରତିଷ୍ଠା କାଳେ ଲକ୍ଷ୍ମଣଙ୍କ ଦ୍ୱାରା ହୋଇଥିଲା ।

ରାମାୟଣର ପୃଷ୍ଠଭୂମିରୁ ବାହାରି ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ବି ଏହି ତିନି ମନ୍ଦିରର ଅନେକ ଗୁରୁତ୍ୱ ରହିଛି । ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଏହି ମନ୍ଦିରର ଚାରିପାଖ ଉକୃଷ୍ଟ କଳାରେ ପରିପୂର୍ଣ୍ଣ। ଛୋଟ ମନ୍ଦିର କିନ୍ତୁ କାରୁକାର୍ଯ୍ୟ ଏତେ ଯେ, ଏହାକୁ ଦେଖିବା ବ୍ୟକ୍ତି ଥରୁଟିଏ ଅଟକି ଯାଏ ଏସବୁ ଦେଖିବାକୁ । ମନ୍ଦିର ପ୍ରବେଶ ପଥରେ ଚମତ୍କାର କଳାକୃତି ସହିତ ନବଗ୍ରହଙ୍କ ବଦଳରେ ଅଷ୍ଟଗ୍ରହଙ୍କ ମୂର୍ତ୍ତି ଅଧିକ ଆକୃଷ୍ଟ କରେ ଶ୍ରଦ୍ଧାଳୁଙ୍କୁ । ହେଲେ ଏତେ କାରୁକାର୍ଯ୍ୟ ଥିବା ସତ୍ତ୍ୱେ ସରକାରୀ ପ୍ରୋତ୍ସାହନ ଯୋଗୁଁ ଯେପରି ଅଣଦେଖା ହୋଇ ପଡ଼ିରହିଛି ଏସବୁ । ଶ୍ରୀରାମଙ୍କ ପଦ ଚିହ୍ନ ଯେଉଁଠି ଯେଉଁଠି ପଡ଼ିଛି ସେଠି ଗଢ଼ି ଉଠିଛି ମହାନ ସଂସ୍କୃତି।