• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାହାଡ ପର୍ବତ ଘେରା ଗାଁ, ଖଣ୍ଡିଆ ପାଲଟିଏ ଘରେ ଢଙ୍କା ହୋଇଛି  । ଚୁଲିରେ ଭାତ ଗଣ୍ଡାଏ ବି ରୋଷେଇ ହେଉଛି । ପୁଣି ଯେଉଁଠି ରୋଷେଇ ହେଉଛି ସେଇଠି କୁକୁର ଶୋଇକି ରହୁଛି । ଏମିତି ସବୁ ଶୁଣିବା ପରେ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଭାବୁଥିବେ ଆଜିକା ସମୟରେ ବି ଏମିତି ଦୁଃସ୍ଥିତିରେ କେଉଁଠି ରହୁଛି ମଣିଷ ? ହେଲେ ପୂରା ଘଟଣା ଜାଣିବା ପରେ ଆପଣଙ୍କୁ ବଡ଼ କଷ୍ଟ ଲାଗିବ । ଆଉ ପ୍ରଶାସନକୁ ଅନୁରୋଧ କରିବେ କି ସେମାନଙ୍କୁ ତୁରନ୍ତ ମିଳୁ ସରକାରୀ ସହାୟତା ।

ଅଧିକ ପଢ଼ନ୍ତୁ: ପିଇବା ପାଣି ପାଇଁ ଏକମାତ୍ର ଚୁଆ ହିଁ ଭରସା...ଏଇଠି ମଣିଷ, ଏଇଠି ଗାଈଗୋରୁ

ଆଜି କି କାଲି ନୁହେଁ ବରଂ ବାପା-ଅଜା ଅମଳରୁ ଛାମୁଡ଼ିଆରେ ଜୀବନ କାଟୁଥିବା ବେଳେ ଏବେ ପଲିଥିନି ତଳେ ବିତୁଛି ୧୦ ମଲ୍ଲାର ସମ୍ପ୍ରଦାୟ ପରିବାରଙ୍କ ଜୀବନ । ଇଏ ଏମିତି ଏକ ଗାଁ ଯେଉଁଠି କି ଆଜିକା ଦିନରେ ରାସ୍ତାଟିଏ ନାହିଁ କି ପାନୀୟ ଜଳ ପହଞ୍ଚିନି । ଭତ୍ତା କି ରାସନ କାର୍ଡ କଥା ନକହିଲେ ଭଲ । ପରିବାରର କିଛି ସଦସ୍ୟଙ୍କୁ କେଇ କିଲୋ ଚାଉଳ ମିଳୁଛି । ହେଲେ ସେତକ ସରିବା ପରେ ବଣରୁ ସଂଗ୍ରହ କରୁଥିବା ଆଳୁ, ତୁଙ୍ଗା ଖାଇ ବାକିଦିନ କାଟନ୍ତି । ଯେଉଁ ଗାଁକୁ ପାଣି କି ବିଜୁଳି ପହଞ୍ଚିନି ସେଠାକାର ପିଲା କଣ ପାଠ ପଢୁଥିବେ ତାହା ସମସ୍ତଙ୍କୁ ଜଣା ।

ସରକାରୀ ଯୋଜନା ସେମାନଙ୍କ ଲାଗି ସାତସପନ ପାଲଟିଛି । ଗରିବ ଲୋକଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବାର ନା ଧରୁନି ଯୋଜନା । ପ୍ରତିବର୍ଷ ନିର୍ବାଚନ ଆସିଲେ ନେତାଏ ଆସନ୍ତି, ବିକାଶର ପ୍ରତିଶ୍ରୁତି ଦିଅନ୍ତି । ହେଲେ କାର୍ଯ୍ୟକାରୀ କିଛି ହୁଏନି । ସୁକିନ୍ଦା ପରି ଏରିଆରୁ ପ୍ରତିଦିନ କୋଟିକୋଟି ଟଙ୍କା ରାଜସ୍ୱ ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଉଛି । ହେଲେ ଦୀପ ତଳ ଅନ୍ଧାର ପରି ସେଠିକା ଲୋକଙ୍କର ହେଉନି ବିକାଶ ।

ବଣଜଙ୍ଗଲ ଘେରା ସେହି ଅଂଚଳରେ ଅତି ବିପଦପୂର୍ଣ୍ଣ ଭାବରେ ରହୁଛନ୍ତି ସ୍ଥାନୀୟବାସିନ୍ଦା । କେତେବେଳେ ହାତୀ ଆସୁଛନ୍ତି ତ ଆଉ କେତେବେଳେ ବାଘ । କିନ୍ତୁ ସେମାନଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ହିଁ ନାହିଁ । ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନକୁ ଅସୁବିଧା ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଛି ହେଲେ ସୁଫଳ କିଛି ମିଳିନି । ଆଜିକା ଦିନରେ ବି ଜଙ୍ଗଲଯାତ ଦ୍ରବ୍ୟ ବଜାରରେ ଯଦି ବିକ୍ରି ହେଉନି ତେବେ ପାଣି ପିଇ ଶୋଇବାକୁ ପଡିଛି । 

ସେପଟେ ପୂର୍ବଚନ ସରପଂଚ କହୁଛନ୍ତି, ଅଂଚଳବାସୀଙ୍କ ସମସ୍ୟା କଥା ପ୍ରଶାସନକୁ ବାରମ୍ବାର କହିଛି ହେଲେ କିଛି ସୁଫଳ ମିଳିଲାନାହିଁ । ଆଉ ବିଡିଓ କହୁଛନ୍ତି, ଆଧାରକାର୍ଡ ଲାଗି ପିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସରକାରୀ ସୁବିଧା ସେମାନଙ୍କୁ ମିଳିବ । ସ୍ୱାଧୀନତାର ୭୫ ବର୍ଷ ବିତିଗଲାଣି, ହେଲେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ । ତେବେ ସମୟ କହିବ କେବେ ସେମାନଙ୍କୁ ମିଳୁଛି ସରକାରୀ ସହାୟତା ।

  • Reported by:
  • JANMEJAY DASH