/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686408759.jpg)
train accident balasore
ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୮ ଦିନ ବିତିଗଲାଣି । ଟ୍ରାକରେ ପୁଣି ଦୌଡ଼ିଲାଣି ଟ୍ରେନ୍ । ଭୟ, ଆଶଙ୍କାକୁ ପିଠି କରି ଧାଇଁଲାଣି ଜୀବନ। ହେଲେ ଏବେବି ଅନେକ ବାହାନଗାବାସୀଙ୍କ ପାଇଁ ଇଏ ଯେମିତି ଗଲା କାଲିର କଥା। ଗତରାତିର ଦୁଃସ୍ୱପ୍ନ ।
ବାହାନଗାବାସୀଙ୍କ ଛାତିରେ ଅଲିଭା ଗାର ଟାଣି ଦେଇଛି, ଜୁନ୍ ୨ ଶୁକ୍ରବାରର ସେଇ କାଳରାତି । ଏବେବି ଅନେକଙ୍କ କାନରେ ରେଳଗାଡ଼ିର ହର୍ଣ୍ଣ ଶୁଭିଲେ, ଆଖିଆଗରେ ଭାସିଉଠେ ସେଇ ଅଭିଶପ୍ତ ନିଶାର୍ଦ୍ଧର ଅଭୁଲା ଦୁଃସ୍ୱପ୍ନ ।
ଷ୍ଟେସନ ପାଖ ମେଡିସିନ ଷ୍ଟୋର ଦୋକାନୀ ସୌଭାଗ୍ୟ ଷଡ଼ଙ୍ଗୀ । ସବୁଦିନ ରାତି ୧୦ଟା-୧୧ଟା ବେଳକୁ ଦୋକାନ ବନ୍ଦ କରନ୍ତି । ହେଲେ ସେଦିନ ରାତି ତମାମ ସେ ପାଲଟିଯାଇଥିଲେ ଅନେକଙ୍କ ପାଇଁ ପ୍ରଥମ ଡାକ୍ତର ।
ସେଦିନର କଥା ଭାବିଲେ ଏବେବି ଲୁହ ରୋକିପାରନ୍ତିନି ଭାଗବତ ମଉସା । ରକ୍ତଜୁଡ଼ୁବୁଡ଼ୁ ଶବ ଗୁଡ଼ିକୁ ଆଡ଼େଇ ଷ୍ଟେସନ ଆଡ଼କୁ ଖବର ଦେବା ପାଇଁ ଦୌଡ଼ିବା ବେଳର ଅନୁଭୂତି ବଖାଣିବା ଆଗରୁ ବାଷ୍ପରୁଦ୍ଧ ହୋଇଯାଏ କଣ୍ଠ ।
ବାହାନଗା ଲେବଲ କ୍ରସିଂ ତଳେ କମଳା ମାଉସୀଙ୍କ ଘର । ଛେଳି ଚରାଇ ପେଟ ପୋଷନ୍ତି କମଳା । ସେଦିନ ଚୁଲି ଲଗାଇବାକୁ ଯାଉଥିଲେ, ହଠାତ ଲାଇନ୍ ପଳାଇଲା । ସବୁ ଆଡ଼ ଅନ୍ଧାର ଦୁର୍ଘଟଣା ଖବର ଶୁଣି ଆଉ ରୋଷେଇ କରିବେ କଣ, ଦୌଡ଼ିଲେ ଆକ୍ସିଡେଣ୍ଟ ସ୍ପଟକୁ । ଦୁର୍ଗତ ଓ ଉଦ୍ଧାରକାରୀଙ୍କ ପାଇଁ ଖୋଲିଦେଲେ ଜଳଛତ୍ର ।
ଖାଲି ସ୍ଥାନୀୟ ଲୋକ କାହିଁକି, ଓଟିଭି କ୍ୟାମେରା ଆଗରେ ଦୁର୍ଘଟଣାର ପ୍ରଥମ ଝଲକ ବଖାଣିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ ଓ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । କହିଛନ୍ତି, ଏବେବି କିଛି କଥା ମନେ ପଡ଼ିଗଲେ, ତାଙ୍କ ଆଖିରୁ ନିଦ ହଜିଯାଏ ।
ସମୟ ଗଡ଼ିଚାଲିବ, ଆଗକୁ ବଢ଼ିଚାଲିବ ଜୀବନ । ହେଲେ ବାହାନଗା ଭୂଲିପାରିବନି କରମଣ୍ଡଳର ବିଭୀଷିକାର ଅସଂଖ୍ୟ କାହାଣୀ ।
ବାହାନଗାରୁ କ୍ୟାମେରାପର୍ସନ ରୋହନ ଓ ପ୍ରଭାତଙ୍କ ସହ କପିଳେନ୍ଦ୍ର ପ୍ରଧାନ ଓ ଭବାନୀଶଙ୍କର ମହାପାତ୍ରଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)