• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାତିର ବଡ଼ଠାକୁରଙ୍କ ଶ୍ରୀମନ୍ଦିରରେ ସାଂଘାତିକ ଦୁଃସାହସ । ମହାପ୍ରସାଦ ପ୍ରସ୍ତୁତିରେ ବାଧା ଦେବାର ଦୁର୍ବାର ଅପଚେଷ୍ଟା । ଅବାଧରେ ରୋଷଘରେ ପଶି ଚୂଲା ଭାଙ୍ଗିଦେଲେ ଦୁର୍ବୃତ୍ତ। ଯାହାକୁ ନେଇ ତେଜିଲାଣି ବିବାଦ । ସାରା ରାଜ୍ୟରେ ଏହାକୁ ନେଇ ଅସନ୍ତୋଷ ଖେଳିବାରେ ଲାଗିଛି । କିଏ ଭାଙ୍ଗିଲା ରୋଷ ଘର ଚୂଲା ? କ’ଣ ରହିଛି ତା’ର ଉଦେଶ୍ୟ ? କାହିଁକି ଭଙ୍ଗାଗଲା ରୋଷ ଘର ଚୂଲା ? ଏଭଳି ନାନା ପ୍ରଶ୍ନ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ।

ତେବେ ଏହାକୁ ନେଇ ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି । ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ‘ଜଗନ୍ନାଥ ମହାପ୍ରଭୁଙ୍କ ରୋଷଘରେ ପଶି ଚୂଲା ଭାଙ୍ଗିଥିବା ଦୁର୍ବୁତ୍ତଙ୍କୁ ଏ ଜାତି କେବେବି କ୍ଷମା ଦେବନାହିଁ । କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍ ହୋଇ ବସିଯିବେ । ଯାହାକି ଆଜି ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି । ଏହିଭଳି କଳାପାହାଡ଼ ସଦୃଶ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।’

 

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ । ଏମିତିକି ଏଯାଏଁ ପୋଲିସ ଦୁର୍ବୃତ୍ତଙ୍କ ଟେର ମଧ୍ୟ ପାଇନି । ଅନ୍ୟପକ୍ଷେ, ଭଙ୍ଗା ଚୂଲାରେ ହିଁ ଶ୍ରୀଜିଉଙ୍କ ଭୋଗ ରୋଷେଇ ହୋଇଥିବା କଥା କୁହାଯାଉଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ଅତିରିକ୍ତ ସୁରକ୍ଷା ପ୍ରଶାସକ ଘଟଣାର ଛାନଭିନ୍ କରୁଛନ୍ତି । ଘଟଣାକୁ ନେଇ ସୁଆରମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ଅବହେଳାକୁ ଦାୟୀ କରିଛି ନିଯୋଗ । ତେବେ ପୂର୍ବ ଶତ୍ରୁତା କିମ୍ବା ବ୍ୟାବସାୟିକ ଶତ୍ରୁତାରୁ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ଜୋର ଧରିଛି ।

ରୋଷଘରେ ଗୋଟିଏ କି ଦୁଇଟି ନୁହେଁ ଅନେକ ଚୂଲାକୁ ଭାଙ୍ଗି ଦିଆଯାଇଛି । ଯେଉଁଥିରେ ଶ୍ରୀମନ୍ଦିର ରୋଷ ଘରର କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଆଦି ଥିବା ବିଭିନ୍ନ ଚୂଲା ରହିଥିଲା । ଶ୍ରୀମନ୍ଦିର ଇତିହାସରେ କେବେ ଏଭଳି ଘଟଣା ଘଟି ନଥିଲା । ଏଘଟଣା ସଂପର୍କରେ ଜଣାପଡ଼ିବା ପରେ ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ ।

ତେବେ ପ୍ରଶାସନର କହିବା କଥା ଦୁଇ ଦିନ ଭିତରେ ପ୍ରକୃତ ଦୋଷୀକୁ ଧରାଯିବ । ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଶାସନ ପକ୍ଷରୁ ଏଭଳି ବୟାନ ଶୁଣିବା ପରେ ଲୋକଙ୍କ ମନରେ ସନ୍ଦେହ ବଢ଼ିଯାଇଛି । ସନ୍ଦେହ ବଢ଼ିବା ବି ସ୍ୱାଭାବିକ୍ । କାରଣ ଶ୍ରୀମନ୍ଦିରର ଚାରିଆଡ଼େ ଲାଗିଛି ସିସିଟିଭି । ଆଉ ଅଭିଯୁକ୍ତଙ୍କୁ ଧରିବାକୁ ହେଲେ ସିସିଟିଭି ଯାଞ୍ଚ ହିଁ ସବୁଠୁ ସହଜ ଉପାୟ । ହେଲେ ଘଟଣାକୁ ୨୪ ଘଶ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇନାହିଁ । ତେବେ କୁଆଡ଼େ ଗଲା ସିସିଟିଭି ଫୁଟେଜ୍‌ ? ଏହି ପ୍ରଶ୍ନ ମଧ୍ୟ ଏବେ ସମସ୍ତଙ୍କ ମନରେ ।

ପ୍ରଶାସନ ଅଭିଯୁକ୍ତ‌‌ଙ୍କୁ ଧରିବା ପାଇଁ କାହିଁକି ଦୁଇ ଦିନ ସମୟ ମାଗିଲା ? ଦୁଇ ଦିନ ଅର୍ଥାତ୍‌ ୪୮ ଘଣ୍ଟା । ଯାହାକି ଅଭିଯୁକ୍ତଙ୍କ ପାଇଁ ପ୍ରମାଣ ନଷ୍ଟ କରିବାକୁ ଯଥେଷ୍ଟ ସମୟ । ଏମିତିକି ଅଭିଯୁକ୍ତ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଫେରାର ହେବା ପାଇଁ ମଧ୍ୟ ଯଥେଷ୍ଟ । ତେବେ ପ୍ରଶାସନର ଏହି ଦୁଇ ଦିନ ସମୟ ଥିଓରୀ, ଅଭିଯୁକ୍ତଙ୍କୁ ଧରିବା ପାଇଁ ନାଁ ସେମାନଙ୍କୁ ଖସି ପଳାଇବା ପାଇଁ ସୁଯୋଗ ଦେଲା । ଏଭଳି ସନ୍ଦେହ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ମନରେ ଘନିଭୂତ ହେଉଛି ।