• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷରେ ପୁରୀ ଗସ୍ତରେ ଯିବ ASI ଟିମ୍‌ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମକୁ ନେଇ ଯେଉଁ ବିବାଦ ଉପୁଜିଥିଲା, ତାର ତଦନ୍ତ କରିବା ନେଇ ଏଏସ୍‌ଆଇ ଟିମ୍‌ ପୁରୀ ଯିବ । ଏହାସହ କ’ଣ କାମ ହେଉଛି, ଅନୁମତି ଦିଆଯାଇଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରିବ । ଏହାସହ ଉକ୍ତ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ, ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟଙ୍କୁ ପ୍ରଦାନ କରିବ ଏଏସ୍‌ଆଇ ।

ଆସନ୍ତାକାଲି ଅର୍ଥାତ୍‌ ରବିବାର ASI ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବା ସମ୍ଭାବନା ରହିଛି । ଏନେଇ ASI ପକ୍ଷରୁ ସୂଚନା ଦିଆଯାଇଛି । OBCC ଓ ଟାଟା ପ୍ରୋଜେକ୍ଟ ସହ ମିଳିତ ଭାବେ ଅନୁଧ୍ୟାନ କରିବ । ପ୍ରକଳ୍ପ ଅନ୍ତର୍ଭୁକ୍ତ କଣ କଣ ନିର୍ମାଣ ଚାଲିଛି ଅନୁଧ୍ୟାନ କରିବା ସହ ନିର୍ମାଣାଧୀନ ପ୍ରକଳ୍ପର ଗଭୀରତା ଓ ପ୍ରସ୍ତାବିତ ଉଚ୍ଚତା ଅନୁଧ୍ୟାନ କରିବ ଏଏସ୍‌ଆଈ । ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ । ନିର୍ମାଣାଧୀନ ପ୍ରକଳ୍ପ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ମେ ୭ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ASIକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ସେପଟେ ଶ୍ରୀମନ୍ଦିରକୁ ନେଇ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାରଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇବେ ଭକ୍ତ । ସେହିପରି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।

ଆଗାମୀ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣର ଶୁଭାରମ୍ଭ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ସହଜ ହୋଇଛି ଦର୍ଶନ ବ୍ୟବସ୍ଥା । ବଡ଼ଦାଣ୍ଡରୁ ବ୍ୟାରିକେଡ୍ ହଟାଇ ନିଆଯିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ପଦକ୍ଷେପ ନେଇଛି । କରୋନା କଟକଣା ପରଠୁ ପଶ୍ଚିମ ଦ୍ୱାରରେ କେବଳ ପୁରୀ ବାସିନ୍ଦାମାନେ ହିଁ ପ୍ରବେଶ ସହ ଦର୍ଶନର ସୁଯୋଗ ପାଉଥିଲେ। ହେଲେ ଏବେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି ।