• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର:  ଘରେ ଘରେ ପରିଚିତ 'ଅରିନ୍ଦମ' ଆଉ ନାହାନ୍ତି। ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ମହାନଦୀରେ ଅପରେସନ ବେଳେ ବୋଟ୍ ଦୁର୍ଘଟଣାଗ୍ରସ୍ତରେ ତାଙ୍କର ଅକାଳ ବିୟୋଗ ହୋଇଛି। ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ।କ୍ରାଇମ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଅରିନ୍ଦମ। ପରେ ପରେ କ୍ରାଇମ ସହ ଡିଜାଷ୍ଟର ରିପୋର୍ଟର ଭାବେ ସୁପରିଚିତ ହୋଇଥିଲେ। ବନ୍ୟା, ବାତ୍ୟା ବେଳେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲେ ଅରିନ୍ଦମ।

ଢେଙ୍କାନାଳ ସ୍ଥିତ ଆଇଆଇଏମ୍‌ସିରୁ ସାମ୍ବାଦିକତା ପାଠ୍ୟକ୍ରମରେ ଡିପ୍ଲୋମା କରିବା ପରେ ସେ ଦୈନିକ ଖବର କାଗଜ ‘ଧରିତ୍ରୀ’ରୁ କ୍ରାଇମ୍ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଜଣେ ଦୁଃସାହସୀ ସାମ୍ବାଦିକ ଭାବେ ଘରେ ଘରେ ସେ ପରିଚିତ ଥିଲେ। ସେ କ୍ରାଇମ୍ ରିପୋର୍ଟିଂ ହେଉ କି ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍‌ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଆକର୍ଷଣୀୟ ଥିଲା। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍‌ରେ ରିପୋର୍ଟିଂ କରିଛନ୍ତି।

ବିଶେଷ କରି ବନ୍ୟା ଓ ବାତ୍ୟା ସମୟରେ ଘଟଣାସ୍ଥଳରୁ ତାଙ୍କ ରିପୋର୍ଟିଂ ଖୁବ୍ ପ୍ରଶଂସନୀୟ ଥିଲା। କେବଳ ବନ୍ୟା, ବାତ୍ୟା ନୁହେଁ, ରାଜନୀତି ଓ କ୍ରାଇମ୍ ରିପୋର୍ଟିଂରେ ବି ସେ ଅନନ୍ୟ ଥିଲେ। ବନ୍ୟପ୍ରାଣୀଙ୍କ ସଂପର୍କରେ ତାଙ୍କର ଖୁବ୍ ରୁଚି ଥିଲା। ସେଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଘଟିଲେ ତାଙ୍କ ପାଖରେ ସଙ୍ଗେ ସଙ୍ଗେ ଖବର ପହଞ୍ଚି ଯାଏ।

ଖାଲି ଏତିକି ନୁହେଁ। ସେ ମାଲକାନଗିରି ହେଉ କି କେନ୍ଦୁଝର, ବାଲେଶ୍ୱର ହେଉ କି ନୟାଗଡ଼ ସବୁ ସ୍ଥାନକୁ ଯାଇ ବିଭିନ୍ନ ପ୍ରସଙ୍ଗରେ ଗ୍ରାଉଣ୍ଡ ରିପୋର୍ଟିଂ କରିବାରେ ସେ ଖୁବ୍ ମାହିର ଥିଲେ। ରିସ୍କ ନେଇ ଏକ୍ସଟ୍ରା କରିବାକୁ ସବୁବେଳେ ଆଗକୁ ଆସୁଥିଲେ ଅରିନ୍ଦମ। ବନ୍ୟପ୍ରାଣୀ ସଂପର୍କିତ ରିପୋର୍ଟରେ ମଧ୍ୟ ଦକ୍ଷ ଥିଲେ ଅରିନ୍ଦମ।ତାଙ୍କର ସେ ତଥ୍ୟ ଯୁକ୍ତ ସୁନ୍ଦର ରିପୋର୍ଟିଂ ଆଉ ଟେଲିଭିଜନରେ ଦେଖିବାକୁ ମିଳବନି। ‘ଓଟିଭି’ ତା’ର ଜଣେ ଅନନ୍ୟ ରିପୋର୍ଟରଙ୍କୁ ହରାଇଥିବା ବେଳେ ଏହା ରାଜ୍ୟର ସାମ୍ବାଦିକତା ଜଗତ ପାଇଁ ମଧ୍ୟ ଏକ ବଡ଼ କ୍ଷତି, ଯାହା ସର୍ବଦା ଅପୂରଣୀୟ ହୋଇ ରହିବ।

 

OTV is now on Whatsapp

Join and get latest news update delivered to you via whatsapp

Join Now