• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅପରାଜିତାଙ୍କୁ ଲାଗିଲା ଝଟ୍‌କା । ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କମିଟିର ପଦଯାତ୍ରାକୁ ଅନୁମତି ଦେଲେନି ଜିଲ୍ଲାପାଳ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଖନନ ଯୋଗୁ ଶ୍ରୀମନ୍ଦିର ଅସୁରକ୍ଷିତ ହେଉଥିବା ଅଭିଯୋଗ ନେଇ ବୁଧବାର ଆନ୍ଦୋଳନ କରିବା ନେଇ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କମିଟି । ହେଲେ ଆଇନ୍‌ଶୃଙ୍ଖଳାର ଦ୍ୱାହୀ ଦେଇ ପଦଯାତ୍ରା ପାଇଁ ଅନୁମତି ଦେଲେନି ପୁରୀ ଜିଲ୍ଲାପାଳ । ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କମିଟି ଆବାହକ ବିନୟ ନୃସିଂହ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ବୁଧବାର ପଦଯାତ୍ରା ନେଇ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ମାଗାଯାଇଥିଲା । ତେବେ ଅନୁମତି ନମିଳିବା ପରେ ଆସନ୍ତାକାଲିର କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ପଦଯାତ୍ରା ହୋଇପାରେ ବୋଲି କହିଲେ ଆବାହକ । ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ସ୍ଥଗିତ ରଖାଯାଇଥିବା କହିଲେ । ଏହି ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଅନୁମତି ନମିଳିବା ପରେ ଏବେ ଅପରାଜିତା କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । 

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୋସିଆଲ୍ ମିଡିଆରେ ଦେଇଛନ୍ତି କଡ଼ା ମନ୍ତବ୍ୟ । ସେ କହିଛନ୍ତି କଳାପାହାଡ଼ ମାନସିକତା କ୍ଷତି ପହଞ୍ଚାଇବ । ରାଜନୀତି ନକରି ASI କଣ କହୁଛି, ସେଯାଏଁ ଅପେକ୍ଷା କରିବା ଦରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ନଆସିବା ଯାଏ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି । କଳାପାହାଡ଼ ମାନସିକତା ଆମ ଓଡ଼ିଆ ଅସ୍ମିତା ପ୍ରତି କ୍ଷତି ପହଞ୍ଚାଇବ । ଜିଦ୍ ଏବଂ ଅହଂକାର କେବଳ ବିନାଶ ଆଡ଼କୁ ନିଏ ବୋଲି କହିଛନ୍ତି ସମ୍ବିତ ପାତ୍ର ।

ସୂଚନାଯୋଗ୍ୟ, ପୁରୀ ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆୟୋଜନ ପାଇଁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ୩ଜଣିଆ ପ୍ରତିନିଧି ମଣ୍ଡଳୀ ଭେଟି ଅନୁମତି ମାଗିଥିଲେ । ସଂଗଠନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ଏଏସଆଇର ବିନା ଅନୁମତିରେ ଖନନ କାମ ଚାଲିଛି ।

ସେପଟେ ଗତକାଲି ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ । ଏମିତିକି ବିଜେପିର ବରିଷ୍ଠ ନେତା ତଥା ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି କୃଷ୍ଣ ଜଗଦ୍ଦେବ ମଧ୍ୟ ପ୍ରକଳ୍ପ ସାକାର ହେଉ ବୋଲି ମତ ରଖିଥିଲେ ।

ସେପଟେ ସେବାୟତମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ନିର୍ଦ୍ଧାରିତ ସମୟ ୨୦୨୪ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଦାବି ରଖିଥିଲେ । ତାସହ ଯେଉଁମାନେ ପ୍ରକଳ୍ପ କାମକୁ ବିରୋଧ କରୁଛନ୍ତି ସେମାନେ ନିବୃତ୍ତ ରୁହିବାକୁ କୁହାଯାଉଛି । ତେଣେ ଗଜପତି ମହାରାଜା ଗତକାଲି ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । ଏହା ଶେଷ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ । ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କର, ଏଥିରେ ବାଧା ଦେବା ଉଚିତ ନୁହେଁ । ତେବେ ଯେଉଁଭଳି ଢଙ୍ଗରେ ଖନନ କାର୍ଯ୍ୟ ଚାଲିଛି, ସେଥିରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଥିଲେ ଗଜପତି । ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନଥିବା କଥା କହିଛନ୍ତି ଗଜପତି ।