• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ବଡ଼ ଅଘଟଣ । ଶୋଭାଯାତ୍ରା ଚାଲିଥିବା ବେଳେ ଘଟିଲା ଅଘଟଣ । ବାରିପଦା ମୋରଡ଼ାରେ ଡିଜେ ଗାଡ଼ି ଓଲଟି ୧୨ ଜଣ ଆହତ ହୋଇଛନ୍ତି । ଉଡ଼ା ପର୍ବ ପାଳନ ବେଳେ ଏହି ଦୁର୍ଘଟଣା ଘଟିଛି । ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ତେବେ ଡିଜେ ଓଲଟିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଉତ୍ସବରେ ଡିଜେ ବାଜୁଥିବା ବେଳେ ଲୋକମାନେ ତଳେ ନାଚ ଗୀତରେ ମସଗୁଲ ଥିଲେ । ଏହି ସମୟରେ ହଠାତ୍‌, ଲାଇଟ୍ ସାଉଣ୍ଡ ବକ୍ସ ଆଦି ଲାଗିଥିବା ପୁରା ଫ୍ରେମ୍‌ ତଳେ ନାଚୁଥିବା ଲୋକଙ୍କ ଉପରେ ପଡ଼ିଥିଲା । କିଛି ଜଣଙ୍କ ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଜଣଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି ।

ସେଠାରେ ଉପସ୍ଥିତ ଥିବା ଲୋକେ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଡିଜେ ଓଲଟି ପଡ଼ିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଛି ।

 

ଗତକାଲି ନୟାଗଡ଼ରେ ମଧ୍ୟ ଶୋଭାଯାତ୍ରା ବେଳେ ଦେଖିବାକୁ ମିଳିଥିଲା ଅଘଟଣ । ଦଣ୍ଡଯାତ୍ରା  ବେଳେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ପରସ୍ପର ମଧ୍ୟରେ ‌ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ଼ରେ ଦଣ୍ଡଯାତ୍ରା ବେଳେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ମୃତକ ହେଲେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ା । 

ସୂଚନା ଅନୁସାରେ, ଗତକାଲି ରାତିରେ ଦୁର୍ଗା ପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଗାଁର ଦଣ୍ଡ ଠାକୁର ନୟାଗଡ଼ ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଦେଉଳପଲ୍ଲୀ ଓ ସିନ୍ଦୁରିଆ ଗାଁ ଲୋକ ମୁହାଁମୁହିଁ ହୋଇଥିଲେ । ଦେଉଳପଲ୍ଲୀ ଗାଁର କିଛି ଯୁବକ ଦୁର୍ଗା ପ୍ରସାଦ ଗାଁର ନବୀନ ପରିଡ଼ାଙ୍କୁ ଅପହରଣ କରି ନେଇ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନାଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।