• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ । ୧୦ ଦଫା ଦାବି ନେଇ ଆଜି ଘେରିଛନ୍ତି ବିଧାନସଭା । ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ସରକାରଙ୍କୁ ଚେତାଇ ଦେଇଛନ୍ତି, ଏଥର ପ୍ରତିଶ୍ରୁତି ପୂରଣ ନହେଲେ ଅସୁବିଧା ପାଇଁ ସରକାର ଦାୟୀ ରହିବେ । ସେପଟେ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ନେଇ ରାଜନୀତି ବି ତେଜିଛି ।

ହକ୍ ପାଇଁ ବିଧାନସଭା ଆଗରେ ଅଙ୍ଗନୱାଡି କର୍ମୀଙ୍କ ଗର୍ଜନ । ପ୍ରତିଶ୍ରୁତି ପାଳନ କରୁନଥିବାରୁ ସରକାର ବିରୋଧରେ ପୁଣି ବାନ୍ଧିଛନ୍ତି ମେଳି । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହିଁ ରାଜ୍ୟର କୋଣ ଅନୁକୋଣରୁ ଓହ୍ଲାଇ ଆସିଛନ୍ତି ରାଜଧାନୀ ରାଜରାସ୍ତାକୁ । ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ଲୋୟର ପିଏମଜିରେ ଏକାଠି ହୋଇ ଶାଣିତ କରିଛନ୍ତି ସ୍ୱର ।

ସରକାରଙ୍କ ଆଗରେ ଦାବି ଦୋହରାଇଛନ୍ତି ଅଙ୍ଗନୱାଡି କର୍ମୀ । ତୁରନ୍ତ ସରକାରୀ ମାନ୍ୟତା ସହ ମଜୁରୀ ପ୍ରଦାନ, ମାନ୍ୟତା ମିଳିବା ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୧୮ ହଜାର ଏବଂ ସହାୟିକାକୁ ୯ ହଜାର ଟଙ୍କା ବେତନ ଦାବି ହୋଇଛି । ସେହିପରି ସୁପରଭାଇଜର ପଦବୀ ପାଇଁ ବୟସ ସୀମା ଉଚ୍ଛେଦ ଓ ପ୍ରତି ବର୍ଷ ପଦୋନ୍ନତି, ସମସ୍ତ କର୍ମୀ ଓ ସହାୟିକାଙ୍କୁ ଗ୍ରାଚ୍ୟୁଟି ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କରିବା, ବହିଷ୍କୃତ ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡିକୁ ବାଦ୍ ଦେବା, ପ୍ରି-ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା, ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରିବା, ଅବସରକାଳୀନ ସହାୟତା ୫ ଲକ୍ଷ କରିବା ସହ ମାସିକ ୫ ହଜାର ପେନସନ୍ ଏବଂ କଲ୍ୟାଣ ବୋର୍ଡ ଗଠନ କରି ସାମାଜିକ ସୁରକ୍ଷା ନିଶ୍ଚିତ କରିବାକୁ ଦାବି ହୋଇଛି ।

ଅଙ୍ଗନୱାଡି କର୍ମୀ ସରକାରଙ୍କୁ ସଫା ସଫା ଚେତାଇ ଦେଇଛନ୍ତି, ଦାବି ପୂରଣ ଦିଗରେ ଏଥର ଉଚିତ ପଦକ୍ଷେପ ନନେଲେ ଆଗକୁ ଯାହା ଅସୁବିଧା ହେବ, ସେଥିପାଇଁ ସରକାର ଦାୟୀ ରହିବେ ।

ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ନେଇ ରାଜନୀତି ବି ତେଜିଛି । ବିଜେପି କହିଛି, କର୍ମୀଙ୍କ ନାର୍ଯ୍ୟ ଦାବିକୁ ଦଳ ଗୃହରେ ଉଠାଇବ । କଂଗ୍ରେସ ବି ଆନ୍ଦୋଳନକୁ ସମର୍ଥନ ଜଣାଇଛି ।

  • Reported by:
  • HARIHARA CHAND , ATULYA BOUT