• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଛାତ ଚିରି ବାହାରକୁ ଆସିଲାଣି ଲୁହାଛଡ । ଚାରିଆଡେ ଫାଟି ଆଁ କରିଛି କାନ୍ଥ । ଆଉ ହାତ ମାରିଦେଲେ ଝଡିପଡୁଛି ପ୍ଲାଷ୍ଟର । କେତେବେଳେ ବି ଗଳି ପଡିବ ଛାତ କି କାନ୍ଥ । ଆଉ ଘଟାଇଦେବ ବଡ ଅଘଟଣ । ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ବାଘ୍ରାୟ ସାହି ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ଏପରି ଅବସ୍ଥା । ଭଙ୍ଗା ଦଦରା ଓ ବିପଦ ସଙ୍କୁଳ ଘରେ ଗଢା ଚାଲିଛି ଦେଶର ଭବିଷ୍ୟତ । ସେପଟେ ବର୍ଷେ ହେଲା ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉନଥିବା ଅଙ୍ଗନବାଡି ଦିଦି ଅଭିଯୋଗ କରିଛନ୍ତି ।

ବାଘ୍ରାୟ ସାହି ଗାଁର ଅଙ୍ଗନୱାଡି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି । ମମତା ଘରଟି ତିଆରିର ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି । ଫଳରେ ଅଙ୍ଗନୱାଡି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି । ସେପଟେ ଗାଁ ଲୋକଙ୍କ କହିବା ଅନୁଯାୟୀ, ଅନେକ ଥର ଲିଖିତ ଭାବେ ବିଡିଓ, ସିଡିପିଓ ଓ କଲେକ୍ଟରଙ୍କୁ ଅବଗତ କରାଇବା ସତ୍ତ୍ୱେ କିଛି କାମ ହୋଇନାହିଁ । ଅନ୍ୟପଟେ ଅତି ନିମ୍ନମାନର କାମ ହୋଇଥିବା କଥା ସ୍ୱୀକାର କରିଛନ୍ତି ଜାମଦା ସିଡିପିଓ । ତେବେ ବହୁତ୍ ଶୀଘ୍ର ଏଥି ପାଇଁ ସମାଧାନର ବାଟ ବାହାର କରିବୁ ବୋଲି ସେ କହିଛନ୍ତି ।

ଶିଶୁମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ବାଘ୍ରାୟ ସାହି ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଚିତ୍ର ଦେଖିଲେ କେତେ କଣ ବିକାଶ ହୋଇଛି ତାହା ଜଳ ଜଳ ହୋଇ ଜଣାପଡୁଛି । ତେବେ ଦେଖିବାକୁ ବାକି ରହିଲା କେବେ ବାଘ୍ରାୟ ସାହିରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ହେବ ଆଉ ପିଲା ନିର୍ଭୟରେ ଛାତ ତଳେ ପାଠ ପଢିବେ ।

(ରାଇରଙ୍ଗପୁରରୁ ଯଶବନ୍ତ ବାରିକଙ୍କ ରିପୋର୍ଟ, ଓଟିଭି)