Advertisment

ଓଡ଼ିଶା ଦେଇ ଗଡ଼ିଲା ‘ଅମୃତ ଭାରତ’; ପ୍ରତି ଷ୍ଟେସନରେ କରାଗଲା ସ୍ୱାଗତ

ଭଦ୍ରକ ଓ କଟକରେ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଢୋଲ ବାଦ୍ୟରେ କମ୍ପିଥିଲା କଟକର ପ୍ଲାଟଫର୍ମ । ଏହାପରେ ରାଜଧାନୀ ଭୁବନେଶ୍ୱରରେ ପୁଷ୍ପବୃଷ୍ଟି କରି ଏହି ନୂଆ ଟ୍ରେନକୁ ସ୍ୱାଗତ କରିଥିଲେ ଲୋକେ ।

author-image
Tanmay Kumar Mahalik
undefined

Amrit Bharat Express

ଓଡ଼ିଶା ଦେଇ ଗଡ଼ିଲା 'ଅମୃତ ଭାରତ' । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିବା ପରେ, ଓଡ଼ିଶା ଦେଇ ଚାଲିଛି ମାଲଦା ଟାଉନ୍-ବେଙ୍ଗଲୁରୁ ଅମୃତ ଭାରତ ଟ୍ରେନ୍ । ରାଜ୍ୟର ୮ଟି ଷ୍ଟେସନରେ ଏହାର ରହଣି ଥିବା ବେଳେ, ପ୍ରତି ଷ୍ଟେସନରେ ଏହାକୁ ଭବ୍ୟ ସ୍ୱାଗତ କରିଛନ୍ତି ଲୋକ ପ୍ରତିନିଧି ଓ ଜନତା । ସ୍ୱଳ୍ପ ଟିକେଟ ମୂଲ୍ୟରେ ଉନ୍ନତ ସୁବିଧା ପାଇଁ ଯାତ୍ରୀଙ୍କ ଖୁସି ବି କାହିଁରେ କେତେ ।

Advertisment

କେଉଁଠି ଢୋଲ ବାଜା... ତ କେଉଁଠି ନାଚଗୀତର ଧୁମ୍... । ଅମୃତ ଭାରତକୁ ଜାଗା ଜାଗାରେ ସମ୍ବର୍ଦ୍ଧନା । ଉପସ୍ଥିତ ଅଛନ୍ତି ନେତା-ଜନତା ଓ ଛାତ୍ରଛାତ୍ରୀ । ସବୁଠି ସାଜସଜ୍ଜା.. ଉତ୍ସାହ ଓ ଉଲ୍ଲାସ। ଇଏ ଗତରାତିର ଦୃଶ୍ୟ । ମାଲଦା ଟାଉନ୍-ବେଙ୍ଗଲୁରୁ ଅମୃତ ଭାରତ ଟ୍ରେନର ଓଡ଼ିଶାରେ ପ୍ରଥମ ରହଣି- 'ଜଳେଶ୍ୱର ଷ୍ଟେସନ' । ଟ୍ରେନ୍ ପହଞ୍ଚିବା ପରେ, ଏହାକୁ ସ୍ୱାଗତ କରିଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ତେବେ ଖାଲି ଜଳେଶ୍ୱର କାହିଁକି ପରବର୍ତ୍ତୀ ସମସ୍ତ ଷ୍ଟେସନରେ ଅମୃତ ଭାରତକୁ ମିଳିଥିଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ।

ଭଦ୍ରକ ଓ କଟକରେ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଢୋଲ ବାଦ୍ୟରେ କମ୍ପିଥିଲା କଟକର ପ୍ଲାଟଫର୍ମ । ଏହାପରେ ରାଜଧାନୀ ଭୁବନେଶ୍ୱରରେ ପୁଷ୍ପବୃଷ୍ଟି କରି ଏହି ନୂଆ ଟ୍ରେନକୁ ସ୍ୱାଗତ କରିଥିଲେ ଲୋକେ । ଖୋର୍ଦ୍ଧା ରୋଡ୍ ଓ ବ୍ରହ୍ମପୁରରେ ମଧ୍ୟ ଅମୃତ ଭାରତକୁ ସ୍ୱାଗତ କରିଥିଲେ ସ୍ଥାନୀୟ ବିଧାୟକ, ସାଂସଦ ଓ ବିଭିନ୍ନ ଦଳର ନେତା ।

Advertisment

ଗତକାଲି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିବା ପରେ, ୨ଟି ରୁଟରେ ଗଡ଼ିବା ଆରମ୍ଭ କରିଛି ଅମୃତ ଭାରତ । ସେଥିରୁ ମାଲଦା ଟାଉନ୍-ବେଙ୍ଗାଲୁରୁ ଟ୍ରେନ୍ ଓଡ଼ିଶା ଦେଇ ଯିବ ଏବଂ ରାଜ୍ୟର ୮ଟି ଷ୍ଟେସନରେ ଅଟକିବ । ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ ଓ ବ୍ରହ୍ମପୁର । ଗତକାଲି ଏହାର ଯାତ୍ରା ଶୁଭାରମ୍ଭ ହୋଇଥିବା ବେଳେ, ଜାନୁଆରୀ ୭ରୁ ଏହା ନିୟମିତ ଚାଲିବ । ପ୍ରଥମ ଦିନରେ ଏହି ଟ୍ରେନରେ ଯାତ୍ରା କରି ବେଶ୍ ଖୁସିଥିଲେ ଯାତ୍ରୀ । କିଏ ଚିତ୍ର ଆଙ୍କୁଥିଲା, ତ ଆଉ କିଏ ହଜିଯାଇଥିଲା ଗୀତ-ଭଜନରେ ।

ଆଗ ଓ ପଛରେ ଦୁଇଟି ଲେଖାଏଁ ଇଞ୍ଜିନ୍, ୨୨ଟି କୋଚ୍, ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର । କୁହାଯାଉଛି, ନାରଙ୍ଗୀ ରଙ୍ଗର ଏହି ନନ୍-ଏସି ସୁପରଫାଷ୍ଟ ଟ୍ରେନ୍ ସାଧାରଣ ଲୋକଙ୍କୁ ସୁଖଦ ଯାତ୍ରା ଦେବା ଦିଗରେ ନୂଆ ଅଧ୍ୟାୟ ସୃଷ୍ଟି କରିବ । LHB ପୁସ୍-ପୁଲ୍ ଟେକନୋଲୋଜି ବିଶିଷ୍ଟ ଅମୃତ ଭାରତ ଶୀଘ୍ର ବେଗ ବଢ଼ାଇ-କମାଇ ପାରୁଥିବାରୁ ଯାତ୍ରା ଅବଧି କମିବ ଏବଂ ଏଥିରେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ ।

ଏହି ଟ୍ରେନରେ ରହିଛି ଆରାମଦାୟକ ସିଟ୍, ଉନ୍ନତ ଲଗେଜ୍ ରାକ୍, ସିସିଟିଭି କ୍ୟାମେରା, ଚାର୍ଜିଂ ପଏଣ୍ଟ, ମୋବାଇଲ ଷ୍ଟାଣ୍ଡ୍, ଏଲଇଡି ଲାଇଟ୍, ଜିରୋ ଡିସଚାର୍ଜ ମଡ୍ୟୁଲାର୍ ଟଏଲେଟ୍ ଏବଂ ଟ୍ରେନ କେଉଁଠି ପହଞ୍ଚିଲା ଜାଣିବା ପାଇଁ ଡିସପ୍ଲେ ସ୍କ୍ରିନ୍ ଇତ୍ୟାଦି ଅନେକ ଆଧୁନିକ ସୁବିଧା । ଅମୃତ ଭାରତ ଟ୍ରେନରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ପାଇଁ ସଂରକ୍ଷିତ ଟିକେଟ୍ ୭୮୨ ଟଙ୍କା ରହିଛି ।

ଜଳେଶ୍ୱରରରୁ ଅଜିତ ଦାସ, ଭଦ୍ରକରୁ ପାର୍ଥସାରଥୀ ନାୟକ, ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡି ଓ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ, ଓଟିଭି...

Grand Welcome
Advertisment
Advertisment