• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟଙ୍କା ପାଇଁ ମାନବିକତା ଭୁଲି ଗଲେ ଆମ୍ବୁଲାନ୍ସ ଚାଳକ । ରାସ୍ତା କଡ଼ରେ ମୃତ ଦେହକୁ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ଼୍ରାଇଭର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଛତିଆରେ ।

ସୂଚନା ଅନୁସାରେ, ଢେଙ୍କାନାଳର ହେମନ୍ତ ମିଶ୍ରଙ୍କ ପତ୍ନୀ ଛବି ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଘରକୁ ନେଉଥିବା ବେଳେ ଆମ୍ବୁଲାନ୍ସ ଚାଳକ ଭଡ଼ା ବାବଦକୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ । ମୃତ ମହିଳାଙ୍କ ସ୍ୱାମୀ ତିନି ହଜାର ଟଙ୍କା ଦେଇଥିଲେ । ଏଥିରେ ଉତକ୍ଷିପ୍ତ  ହୋଇ ଆମ୍ବୁଲାନ୍ସ ଚାଳକ ଜାତୀୟ ରାଜପଥ କଡ଼ରେ ମୃତ ଦେହକୁ ଛାଡ଼ି ଚାଲିଯାଇଥିଲେ ।

ରାସ୍ତାକଡ଼ରେ ରାତିସାରା ପଡ଼ି ରହିବା ପରେ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ଛତିଆ ବିଟ ହାଉସ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ମୃତକଙ୍କ ସ୍ୱାମୀକୁ ପଚରାଉଚରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଅର୍ଥ ଅଭାବରୁ ଶବ ସତ୍କାର କରି ହେଉନଥିବା ବେଳେ ସ୍ଥାନୀୟ ପଂଚାୟତବାସୀଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଛି ।