Advertisment

ସକାଳେ ଜବତ, ରାତିରେ ଚୋରାଚାଲାଣ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଅଭିଯୋଗ

କେତେବେଳେ କାନ ଧରି ତ ଆଉ କେତେବେଳେ ଗୋଡ଼ ହାତ ଧରି କ୍ଷମା ମାଗୁଛନ୍ତି। ଛାଡ଼ି ଦେବାକୁ କାକୁତି ମୀନତି ହେଉଛନ୍ତି। ଆଉ ଏପଟେ ହାତ ଯୋଡ଼ି ନେହୁରା ହେଉଛନ୍ତି ଏଭଳି ଭାବେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Police Double Role

ମଦ ବିରୋଧୀ ଅପରେସନରେ ଖୋର୍ଦ୍ଧା ବେଗୁନିଆ ପୋଲିସର ଡବଲ୍ ରୋଲ୍ । ଗୋଟିଏ ଗୋଷ୍ଠୀ ରେଡ୍ କରି ବାଣ ସହ ମଦ ଜବତ କରୁଛି, ତ ଆଉ ଏକ ଗୋଷ୍ଠୀ ସେହି ସାମଗ୍ରୀକୁ ଚୋରାଚାଲାଣ କରୁଛି। ଆଜି ସାମ୍ନାକୁ ଆସିଛି ଏଭଳି ଚିତ୍ର, ଖୋଲିଛି ଖାକି ବାବୁଙ୍କ ପୋଲ୍। ପୋଲିସର ଏଭଳି ଦୋ ମୁହାଁ ନୀତି ଧରାପଡ଼ିବା ପରେ ଜନତା ଖଡଗହସ୍ତ ହୋଇଥିବାବେଳେ କାନ୍ଦୁଣୁ ମାନ୍ଦୁଣୁ ପୋଲିସ। ଗୋଡ଼ହାତ ଧରି ନେହୁରା ହୋଇଛି। ଯାହାର ଭିଡ଼ିଓ ସାମ୍ନାକୁ ଆସିବା ପରେ ପୋଲିସର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠିଛି ।

Advertisment

କେତେବେଳେ କାନ ଧରି ତ ଆଉ କେତେବେଳେ ଗୋଡ଼ ହାତ ଧରି କ୍ଷମା ମାଗୁଛନ୍ତି। ଛାଡ଼ି ଦେବାକୁ କାକୁତି ମୀନତି ହେଉଛନ୍ତି। ଆଉ ଏପଟେ ହାତ ଯୋଡ଼ି ନେହୁରା ହେଉଛନ୍ତି ଏଭଳି ଭାବେ। ଜଣେ ହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ଥାନାର କନେଷ୍ଟବଳ ସିଦ୍ଧେଶ୍ୱର ମହାପାତ୍ର ଆଉ ଅନ୍ୟ ଜଣେ ହେଉଛନ୍ତି ସେହି ଥାନାର ହୋମଗାର୍ଡ ପ୍ରକାଶ ମୁଦୁଲି। ଜବତ କରି ଥାନାକୁ ଅଣାଯାଇଥିବା ପେଟି ପେଟି ମଦ ସହ ଟ୍ରକ ଟ୍ରକ ବାଣକୁ ଚୋରାଚାଲାଣ ଅଭିଯୋଗରେ ରଙ୍ଗେ ହାତ୍ ଧରାପଡ଼ିଛନ୍ତି ସାଧାରଣ ଜନତାଙ୍କ ହାତରେ । ଧରାପଡ଼ିବା ପରେ ଏଭଳି ହଟହଟା ହୋଇଛନ୍ତି ଏମାନେ । କନେଷ୍ଟବଳ ଓ ଅଫିସର୍ ରହୁଥିବା ଏକ କ୍ୱାର୍ଟରରୁ ଜବତ ମଦକୁ ଗାଡ଼ିରେ ଲଦି ବିକ୍ରି ପାଇଁ ଚାଲାଣ କରୁଥିଲେ।

ସକାଳେ ଜବତ, ସଂଧ୍ୟାରେ ବେପାର। ଏ ଚିତ୍ର ହେଉଛି ଗତକାଲିର। ସିରିଜ୍ ଦୁର୍ଘଟଣା ଘଟାଇଥିଲା ଏହି କାରଟି । ଯେଉଁ ଦୁର୍ଘଟଣାରେ ଜଣଙ୍କ ଜୀବନ ବି ଯାଇଛି। ଅଥଚ ସେକଥାକୁ ଭୁଲି କାରରୁ ଜବତ ପେଟି ପେଟି ମଦକୁ ଚୋରାଚାଲାଣ ଉଦ୍ୟମ କରୁଥିଲେ ଜଣେ ଡ୍ରାଇଭର ସହ ହୋମଗାର୍ଡ ପ୍ରକାଶ ମୁଦୁଲି। କେବଳ ମଦ ନୁହଁ, କଣ୍ଟାବାଡ଼ରୁ ଜବତ ହୋଇଥିବା ୨ ଟ୍ରକ୍ ବାଣକୁ ବି ଚାଲାଣ କରାଯାଉଥିଲା ଏଭଳି ଭାବେ ।

Advertisment

ଗତକାଲି ଏସବୁ ସାମଗ୍ରୀ ଜବତ ନେଇ ବେଗୁନିଆ ପୋଲିସ ମିଡିଆ ଆଗରେ ନିଜ ସଫଳତାକୁ ବଖାଣିଥିଲା। ଅଥଚ ୧୨ ଘଣ୍ଟା ବି ପୁରିଲାନି। ଧରାପଡ଼ିଗଲା ପୋଲିସର ଚୋରି ଖେଳ। ମଦ ଆଉ ବାଣ ଭର୍ତ୍ତି କାରକୁ ଲୋକେ ଧରିବା ସହ ଘେରିଯାଇଥିଲେ ଏଭଳି ଭାବେ। ଏ କଥା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ କନେଷ୍ଟବଳ ସିଦ୍ଧେଶ୍ୱର ମହାପାତ୍ର। କାହାକୁ କିଛି ନକହି ସମସ୍ତଙ୍କୁ ଛାଡ଼ିଦେବାକୁ ସରପଞ୍ଚଙ୍କୁ ନେହୁରା ହୋଇଥିଲେ। ଶେଷରେ ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍‌ଡିପିଓ ପହଞ୍ଚି ଗାଡ଼ି ସହ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଥାନାକୁ ଆଣିବା ସହ ଗାଡ଼ିର ଡ୍ରାଇଭର ଓ ହୋମଗାର୍ଡଙ୍କୁ ଗିରଫ କରିଥିଲେ।

ତେବେ ଏଭଳି ଚୋରାଚାଲାଣ ପଛରେ କେବଳ କ’ଣ ଏହି ହୋମଗାର୍ଡ ଓ କନେଷ୍ଟବଳ ? କାହାଠୁ ସାହସ ପାଇ ୨ ଜଣ ତଳିଆ କର୍ମଚାରୀ ଭଡ଼ା ଗାଡ଼ିରେ ଚାଲାଣ କରୁଥିଲେ ଜବତ ସାମଗ୍ରୀ ? କେତେଦିନ ଧରି ଚାଲିଥିଲା ଏଭଳି ଚୋରି ଖେଳ ? ଏକଥା ଥାନା ବାବୁ କିମ୍ବା ଉପର ଅଧିକାରୀ ଜାଣିଥିଲେ ନା ଜାଣି ଅଜଣା ରହୁଥିଲେ ? କାହିଁକି ଏଯାଏଁ କନେଷ୍ଟବଳଙ୍କ ବିରୋଧରେ ଆକ୍ସନ ନିଆଯାଇନି? ଏଭଳି ନାନା ପ୍ରଶ୍ନ ସହ ପୋଲିସର ଦାୟିତ୍ୱପଣିଆ ଉପରକୁ ଲୋକେ ଅଙ୍ଗୁଳି ଉଠାଇଥିବାବେଳେ ଯିଏ ବି ସମ୍ପୃକ୍ତ ଥିବେ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଏସଡିପିଓ। ଆଗକୁ କି କାର୍ଯ୍ୟାନୁଷ୍ଠାନ ହେବ ତାହା ତ ଭିନ୍ନ କଥା, ହେଲେ ପୋଲିସ ଯଦି ବାଡ଼ ସାଜି ଏଭଳି ଫସଲ ଖାଇବ, ତାହେଲେ ଲୋକେ କାହାକୁ ଭରସା କରିବେ। 

Odisha Odisha Police
Advertisment
Advertisment