• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଧୂଆଁ... ଧୂଳି... ଅନ୍ଧାର... ଦିନରେ ରାତିର ଭ୍ରମ । ଯୁଆଡ଼େ ଚାହିଁବେ ଖାଲି ଧୂଳିରେ ଆସ୍ତରଣ । ଆଖିକୁ ଆଖି ଦିଶୁନି, ଦିପାଦ ବି ଚାଲିବା ମୁସକିଲ୍ । ଦିଲ୍ଲୀ ନୁହେଁ, ଆମ ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ସହର ଅନୁଗୁଳ ଓ ତାଳଚେରରେ ଦେଖିବାକୁ ମିଳିଛି ଏମିତି କିଛି । ପତ୍ରରେ ଧୂଳିର ମୋଟା ଆସ୍ତରଣ, ଘର ଚଟାଣରେ ମାଟି ଆଉ ଧୂଳି । ଛାତ ବି କହୁଛି ଏଠି ପ୍ରଦୂଷଣର ମାତ୍ରା କେତେ ।

ଏମିତି ପ୍ରଦୂଷିତ ପରିବେଶରେ ଲୋକେ ରହୁଛନ୍ତି, ଜୀବନ ବିତାଉଛନ୍ତି । ବର୍ଷ ବର୍ଷ ଧରି ଲାଗି ରହିଛି ଏଭଳି ସ୍ଥିତି । ହେଲେ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଥରେ ନୁହେଁ, ହଜାରେ ଥର ଭାବିବାକୁ ବାଧ୍ୟ କରୁଛି । ଅନୁଗୁଳ ସହରର ପ୍ରଦୂଷଣ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଟପିଯାଇଛି । ଗତକାଲି ଦିଲ୍ଲୀରେ AIR QUALITY INDEX- AQI ୩୪୧ ଥିବାବେଳେ ଅନୁଗୁଳର AQI ଥିଲା ୩୫୪ । ଆଉ ତାଳଚେରରେ ଥିଲା ୨୯୪ । ଅର୍ଥାତ ଏଠି ବି ବାୟୁରେ ବିଷ ।

କେବଳ ଅନୁଗୁଳ କି ତାଳଚେରରେ ଏଭଳି ସ୍ଥିତି ନୁହେଁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ କଟକରେ ବି ଧୀରେ ଧୀରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଗତକାଲି ଭୁବନେଶ୍ୱରରେ AQI ୨୮୮ ଥିବାବେଳେ କଟକରେ ଥିଲା ୩୦୩ । ସେହିପରି ବାଲେଶ୍ୱରରେ AQI ୩୦୦ ଟପିଥିଲା । ଗତ ଦୀପାବଳି ବେଳେ ବି ରାଜଧାନୀରେ ବିଗିଡ଼ିଥିଲା ବାୟୁର ମାନ । ଏସବୁ ତଥ୍ୟ ଆଗକୁ ଆସୁଥିବା ବିପଦକୁ ସୂଚାଉଛି । ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି, ବର୍ଷକୁ ଯେତିକି ଲୋକ ଏଡ୍‌ସ, ଟିବି, ମାଲାରିଆ ଭଳି ରୋଗରେ ମୃତ୍ୟୁମୁଖରେ ପଡୁଛନ୍ତି, ତାଠାରୁ ଅଧିକ ଲୋକ ବାୟୁ ପ୍ରଦୂଷଣର ଶିକାର ହୋଇ ଜୀବନ ହରାଉଛନ୍ତି ।

ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତା’ ସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି । ଅପରପକ୍ଷେ, ଏହା କ୍ଷଣ ସ୍ଥାୟୀ, ନିର୍ମାଣ କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବ ।