• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର କୋର୍ଟକୁ ରାଜ୍ୟ ସରକାର ବଲ୍ ଫିଙ୍ଗିବା ପରେ, ଏବେ ପ୍ରଶ୍ନ କଣ ହେବ ଲିଙ୍ଗରାଜ ମନ୍ଦିର ଅର୍ଡିନାନ୍ସର ଭାଗ୍ୟ ? ଏହାକୁ ମିଳିବ ତ ରାଷ୍ଟ୍ରପତିଙ୍କ ଅନୁମୋଦନ ? କାରଣ ରାଜ୍ୟ ସରକାର ଏହି ଅଧ୍ୟାଦେଶରେ ଦୃଢ଼ତାର ସହ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଛନ୍ତି ମନ୍ଦିର ସଂପତ୍ତିର ସୁରକ୍ଷା, ନିରାପତ୍ତା ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ଜଣେ ପ୍ରଶାସକଙ୍କ ନିଯୁକ୍ତି ନିହାତି ଆବଶ୍ୟକ । ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କେନ୍ଦ୍ର ଗୃହ ସଚିବଙ୍କୁ ଅଧ୍ୟାଦେଶ ନେଇ ଦିଆଯାଇଥିବା ସ୍ପଷ୍ଟୀକରଣରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଅଧ୍ୟାଦେଶ କୌଣସି ପ୍ରକାରେ ଆମସାର ଆକ୍ଟର ଉଲ୍ଲଂଘନ କରୁନାହିଁ । ତାସହ ମନ୍ଦିର ପ୍ରଶାସକଙ୍କୁ କ୍ଷମତା ଦେବା ପଛରେ ରହିଛି କି ଉଦ୍ଦେଶ୍ୟ ? ତାକୁ ମଧ୍ୟ ସ୍ପଷ୍ଟ ଭାବେ ବୁଝାଇ ସେ ଲେଖିଛନ୍ତି ଯେ-ଲିଙ୍ଗରାଜ ମହାପ୍ରଭୁଙ୍କର ବହୁ ସ୍ଥାବର ସଂପତ୍ତି ରହିଛି । ଯାହାକି ମନ୍ଦିରର ପ୍ରମୁଖ ଆୟ ଉତ୍ସ ହୋଇପାରିବ । ଏହାକୁ ଲିଜ୍ ଜରିଆରେ ଦେବା କ୍ଷମତା ଏବେ ଦେବୋତ୍ତର କମିଶନଙ୍କ ପାଖେ ରହିଛି, ଅଧ୍ୟାଦେଶ ଆସିଲେ ଏହା ମନ୍ଦିର ପ୍ରଶାସକଙ୍କ ନିକଟକୁ ଯିବ । ମନ୍ଦିର ସଂପତ୍ତିରେ ଥିବା ଦୋକାନଗୁଡିକ ପାଇଁ ଅଧ୍ୟାଦେଶରେ ମଧ୍ୟ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି, ଏଥିପାଇଁ କୌଣସି ପୂରୁଣା କୀର୍ତ୍ତିରାଜୀକୁ କ୍ଷତି ପହଞ୍ଚିବ ନାହିଁ ।

ତାସହ ବିପଯର୍ୟୟ ସମୟରେ ଜରୁରୀକାଳୀନ ମରାମତି ପାଇଁ ମନ୍ଦିର ପ୍ରଶାସକଙ୍କୁ କ୍ଷମତା ଦିଆଯାଇଛି, କିନ୍ତୁ ଏଥିପାଇଁ ସେ ଏଏସଆଇର ବିଶେଷଜ୍ଞଙ୍କ ପରାମର୍ଶ ନେବେ । ଲିଙ୍ଗରାଜ ମନ୍ଦିର ସେବାୟତ ଏହାକୁ ସ୍ୱାଗତ କରିଛନ୍ତି ହେଲେ ଐତିହାସିକ ଏହାକୁ ବିରୋଧ କରି କହିଛନ୍ତି କିର୍ତ୍ତୀରାଜୀ ଭାଙ୍ଗି ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଭଳି ଏଠି ବି ସେମିତି କିଛି କରିବା ସରକାରଙ୍କ ଉଦ୍ଦେଶ୍ୟ ରହିଛି ।

ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳ ତୀବ୍ର ବିରୋଧ ପ୍ରକାଶ ପାଇଥିଲା । ବୁଲଡୋଜର ଲଗାଇ ସରକାର କିର୍ତ୍ତିରାଜୀ ନଷ୍ଟ କରୁଥିବା ନେଇ ଗୁରୁତର ଅଭିଯୋଗ ଆସିଥିଲା । ଏମିତିକି ସେତେବେଳେ ଶୁକସାରୀ ମନ୍ଦିରର ଅବଶେଷ ମିଳିବା ପରେ ଗତ ଜାନୁଆରୀ ମାସରୁ କାମ ବନ୍ଦ ରଖିଛି ଏଏସ୍‌ଆଇ । ASIର ବିନା ଅନୁମତିରେ ଆମସାର ଆକ୍ଟର ଉଲ୍ଲଂଘନ କରାଯାଇ ଐତିହ୍ୟ ସ୍ଥଳର ୧୦୦ ମିଟର ନିଷିଦ୍ଧାଞ୍ଜଳରେ ବେଆଇନ୍ ଖନନକୁ ନେଇ ଉଠିଥିଲା ବିବାଦ । କିନ୍ତୁ ରାଜ୍ୟ ସରକାର ଅଧ୍ୟାଦେଶକୁ ନେଇ ଦେଇଥିବା ସ୍ପଷ୍ଟୀକରଣରେ ଏକଥାକୁ ସଂପୂର୍ଣ୍ଣ ରୂପେ ଫାଙ୍କି ଦେଇଛନ୍ତି ।

ଏଥିସହ ଏବେ ୨୦୦ ମିଟର ରେଗୁଲେଟେଡ୍ ଜୋନ୍‌ରେ ନିର୍ମାଣ କାମ ପାଇଁ ଏଏସଆଇକୁ ଅନୁମତି ମଗାଯାଇଥିବା ଦର୍ଶାଇଛନ୍ତି । ତେବେ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱରେ ବେଆଇନ୍ ଖନନକୁ ଆରମ୍ଭରୁ ବିରୋଧ କରି ଆସୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏବେ ଅଧ୍ୟାଦେଶ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି କିର୍ତ୍ତୀରାଜିକୁ ପ୍ରଥମେ ଗୁରୁତ୍ୱ ଦେବା ଦରକାର । ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କଲାବେଳେ ଲୋକଙ୍କ ମତାମତ ଓ ପ୍ରସ୍ତାବ ପ୍ରାବଧାନକୁ ରାଜ୍ୟ ସରକାର କାହିଁକି ଡରି ଗଲେ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ଗତ ଏପ୍ରିଲ ୮ରେ କେନ୍ଦ୍ର ଆଇନ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଭୂ-ସଂପତ୍ତି ବିଭାଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଅନୁମତି ପାଇ ସାରିଛିି । ତେବେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଉଠାଯାଇଥିବା ଆପତ୍ତି ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ଶାସନ ସଚିବ ।