• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁଧୁରିବାର ନାଁ ଧରୁନି ଆନ୍ଧ୍ର । ପୁଣି ଥରେ କୋଟିଆ ଅଂଚଳରେ ଆନ୍ଧ୍ରର ଅନୁପ୍ରବେଶ । ସୀମା ଭିତରକୁ ପଶି ଫାଟୁସିନେରୀରେ ବେଆଇନ ଭାବେ ଅଙ୍ଗନବାଡି ଗୃହ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ନିର୍ମାଣ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଥିଲା । ହେଲେ କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । 

ଏହି ଖବର ବ୍ଲକ ପ୍ରଶାସନ ପାଖରେ ପହଞ୍ଚିବା ପରେ ପଟାଙ୍ଗି ବିଡ଼ିଓଙ୍କ ସମେତ ପୋଲିସ ଫୋର୍ସ ଫାଟୁସିନେରୀ ଗାଁରେ ପହଞ୍ଚିଥିଲେ । ଗାଁରେ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ସହିତ ଘଟଣାସ୍ଥଳରୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଫାଟୁସିନେରୀ ଗାଁରେ ଆନ୍ଧ୍ର ତୋନୋମ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ୧୦୪ ଆମ୍ବୁଲାନ୍ସ ଧରି ଗାଁରେ ପହଞ୍ଚି କିଛି ହାତଗଣତି ଲୋକଙ୍କୁ ଚିକିତ୍ସା କରିଥିଲେ । ଔଷଧ ବାଣ୍ଟିବା ସହ କିଛି ଲୋକଙ୍କ ହେଲ୍‌ଥ ଚେକ୍‌ଅପ୍‌ କରି ଫେରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, କୋଟିଆରେ ଆନ୍ଧ୍ରପ୍ରଦେଶର ବାରମ୍ବାର ଅନୁପ୍ରବେଶ, ନିର୍ବାଚନ ଓ ଶେଷରେ ନୂଆ ଜିଲ୍ଲା ମ୍ୟାପ୍‌ରେ ଦର୍ଶାଇବା ପରେ ବୋଧେ କିଛି ଦିନ ପୂର୍ବେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା । ମୁଖ୍ୟ ସଚିବ କୋଟିଆ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଚାଷ ଓ ପର୍ଯ୍ୟଟନର ବିକାଶ ନେଇ କଥା ହୋଇଥିଲେ । କୋଟିଆବାସୀ ନିଜ ଅଞ୍ଚଳରେ ଥିବା ଲମ୍ବା ସମୟର ସମସ୍ୟା ସମ୍ପର୍କରେ ମୁଖ୍ୟ ସଚିବଙ୍କୁ ଅବଗତ କରିଥିଲେ । ହେଲେ ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ବି ଆଶା ଓ ଆଶଙ୍କାରେ ରହିଛି ।

କୋରାପୁଟ କୋଟିଆରେ ପଶି ଅଫିସ୍, ସ୍କୁଲ, ଯୋଜନା ପ୍ରଣୟନ କଲା ଆନ୍ଧ୍ରପ୍ରଦେଶ । ଓଡ଼ିଶା ମାଟିରେ ପଞ୍ଚାୟତ ନିର୍ବାଚନ କଲା । ଏତେ ସବୁ ହେବା ପରେ ବି ରାଜ୍ୟ ସରକାର ଯେତିକି ପ୍ରତିକ୍ରିୟାଶୀଳ ହେବା କଥା ହେଲେନି । ଶେଷରେ ନୂଆ ଜିଲ୍ଲା ଗଠନ କରି କୋଟିଆକୁ ମାନଚିତ୍ରରେ ଦର୍ଶାଇଲା ଆନ୍ଧ୍ର । ନେଡ଼ି ଗୁଡ଼ କହୁଣୀକୁ ବୋହିବା ପରେ ଏବେ ଚେତା ପଶିଛି ରାଜ୍ୟ ସରକାରଙ୍କର । ଲୋକଙ୍କ ପାଖକୁ ଯାଇ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଟିଆବାସୀଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନାର ଅନୁଧ୍ୟାନ କରିଛନ୍ତି । ହେଲେ ଏହା କଣ ଯଥେଷ୍ଟ ? ଲୋକଙ୍କ ସମସ୍ୟା ସମାଧାନ ନହେଲେ ସେମାନେ ଆନ୍ଧ୍ରରେ ମିଶିବେ ବୋଲି କହିଛନ୍ତି ।

କୋଟିଆରୁ ପ୍ରତିବର୍ଷ ଅନେକ ଶିକ୍ଷିତ ପିଲା କାମ ସନ୍ଧାନରେ ପଡ଼ୋଶୀ ଆନ୍ଧ୍ରକୁ ଯାଆନ୍ତି । ଏହି ସମସ୍ୟା ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ଏନେଇ ମୁଖ୍ୟ ସଚିବଙ୍କୁ ଭେଟି ୧୦ ଦଫା ଦାବି ପତ୍ର ଦେଇଛନ୍ତି ସ୍ଥାନୀୟ ଲୋକେ । କୋଟିଆରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସ୍ଥାପନ ପାଇଁ ସେମାନେ ଜଣାଇଛନ୍ତି । ସେପଟେ ଆଜି କୋଟିଆରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହ ଚାଷୀ ଓ ଏସ୍ଏଚ୍‌ଜି ମହିଳାଙ୍କୁ ଭେଟିଛନ୍ତି ମୁଖ୍ୟ ସଚିବ । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଦେଓମାଳିରେ ଇକୋ ଟୁରିଜିମ୍  ସ୍ଥିତି ଅନୁଧ୍ୟାନ କରିଛନ୍ତି ।