/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703253065.jpg)
Ama Pokhari Yojana
ସୌନ୍ଦର୍ଯ୍ୟକରଣ ନାଁରେ ଦରଖଣ୍ଡିଆ ବିକାଶ । ଯୋଜନା ନାଁରେ ଚାଲିଛି ହରିଲୁଟ। ବାଲେଶ୍ୱରରେ ଆମ ପୋଖରୀ ନବୀକରଣ ଯୋଜନାକୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏବେ ଯାଏ କାମ ସରିବାର ନାଁ ନେଉନି। ଫଳରେ ବଢୁଛି ଅସନ୍ତୋଷ ।
ଆବର୍ଜନାରେ ଭର୍ତ୍ତି ଜଳାଶୟ । ପୋଖରୀରେ କେଉଁଠି ଦଳ ଭର୍ତ୍ତି ତ କେଉଁଠି ଗଛଲତା । ଅପରିଷ୍କାର ପାଣି, ପୁତ୍ତି ଗନ୍ଧମୟ ପରିବେଶ । ସବୁଠି ଅଧପନ୍ତରିଆ କାମ, ଦରଖଣ୍ଡିଆ ସୌନ୍ଦର୍ଯ୍ୟକରଣ । ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଆମ ଜଳାଶୟ ନବୀକରଣ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯାଇ ବାଲେଶ୍ୱର ପୌର ପାଳିକାର ୧୬ଟି ଜଳାଶୟକୁ ନବୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା। ଉଦ୍ଦେଶ୍ୟ ଥିଲା, ଜଳାଶୟ ଗୁଡ଼ିକର ପଙ୍କ ଓ ଦଳ ଉଦ୍ଧାର କରାଯାଇ ଆବର୍ଜନା ମୁକ୍ତ କରାଯିବ। ପୋଖରୀ ଚାରିପଟେ ଆଲୋକୀକରଣ, ଚଲାପଥ ଓ ଛୋଟ ପିଲାଙ୍କ ପାଇଁ ଖେଳନା ସରଞ୍ଜାମର ବ୍ୟବସ୍ଥା କରାଯିବ । ହେଲେ ସବୁଠି ଅଧାରେ ଅଟକିଛି କାମ । ଯୋଜନାକୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ମାତ୍ର ୫ଟି ଜଳାଶୟର ପୁନରୁଦ୍ଧାର କରାଯାଇ ପାରିଛି । ଆହୁରି ୧୧ଟି ଅପେକ୍ଷାରେ ଅଛି।
ସହର ମଧ୍ୟରେ ଥିବା ୬ଟି ପୋଖରୀ ପାଇଁ ୩ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୨ ନମ୍ବର ୱାର୍ଡର ବଡ଼ଖୁଆ ପୋଖରୀର ପୁନରୁଦ୍ଧାର ପାଇଁ ସର୍ବାଧିକ ୧ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ତେବେ ଫଳକକୁ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ୩୦ ପ୍ରତିଶତ କାମ ହୋଇନାହିଁ । ଏନେଇ ବାରମ୍ବାର ପୌରପାଳିକା ପାଖରେ ଅଭିଯୋଗ କରିଥିଲେ ବି ଫଳ ଶୂନ। ତେବେ ପୌରପାଳିକା ଅଧ୍ୟକ୍ଷ କହିଛନ୍ତି, ଟଙ୍କା ମଞ୍ଜୁର ହୋଇ ସାରିଛି, ଶୀଘ୍ର ସବୁ ଜଳାଶୟର ପୁନରୁଦ୍ଧାର ହେବ। ଏବେ ଅପେକ୍ଷା କେବେ ସରୁଛି ସହରର ସବୁ ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)