• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳାରକ୍ଷାରେ ସେମାନଙ୍କର ଥିଲା ସବୁଠୁ ବଡ଼ ଭୂମିକା । ସେଇମାନଙ୍କ ଝାଳବୁହା ଅକ୍ଳାନ୍ତ ପରିଶ୍ରମ ପାଇଁ ଶାନ୍ତିଶୃଙ୍ଖାର ସହ ସରିଲା ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ଯାତ୍ରା । ହଁ, ଆମେ କହୁଛୁ ସୁରକ୍ଷାକର୍ମୀଙ୍କ କଥା । ହେଲେ ରଥଯାତ୍ରା ଡ୍ୟୁଟି ପରେ ଏମାନେ କେମିତି, ରହୁଥିଲେ, କିଭଳି ଖାଉଥିଲେ- ଭାଇରାଲ୍ ହେଉଥିବା କିଛି ଭିଡିଓରେ ରହିଛି ତାର ପୂରା କାହାଣୀ ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା । ହଁ ଆପଣ ଏକଦମ୍ ଠିକ୍ ଶୁଣୁଛନ୍ତି, ଆଉ ଠିକ୍ ଦେଖୁଛନ୍ତି । ଦିନ ହେଉ କି ରାତି, ଅସହ୍ୟ ଗୁଳୁଗୁଳି ହେଉ କି ପ୍ରଚଣ୍ଡ ତାତି । ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରିବିଜେ ଯାଏଁ ୧୨ ଦିନ କାଳ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀ -ଏଇଠି ଏମିତି ରହୁଥିଲେ, ଏଇ ପରିବେଶରେ ଖାଉଥିଲେ, ପ୍ରଚଣ୍ଡ ଗୁଳୁଗୁଳିରେ ବିନା ସିଲିଂ ଫ୍ୟାନରେ କର୍ମକ୍ଲାନ୍ତ ଦେହକୁ ଏମିତି ବିଶ୍ରାମ ଦେଉଥିଲେ ।

ନିର୍ମାଣାଧୀନ ଜଗନ୍ନାଥ ବଲ୍ଲଭ ପାର୍କିଂ କଂପ୍ଲେକ୍ସ । ଯେଉଁଠି ରଥ ଡ୍ୟୁ଼ଟିରେ ଥିବା ୧୮୦ ପ୍ଲାଟୁନ୍ ଫୋର୍ସ ଭିତରୁ ପାଖାପାଖି ୧୦ ପ୍ଲାଟୁନ୍ ଫୋର୍ସଙ୍କ ପାଇଁ ଏଇଠି ରହଣୀର ବ୍ୟବସ୍ଥା କରିଥିଲା ପ୍ରଶାସନ । ଆଉ ଏଭଳି ସ୍ଥିତିରେ ୧୨-୧୩ ଦିନ କାଳ ବିତାଇ ଫେରିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଭୟରେ ଖୋଲାଖୋଲି ନହେଲେ ବି ଅସନ୍ତୋଷକୁ ରୋକି ପାରିନାହାନ୍ତି ସୁରକ୍ଷାକର୍ମୀ ।

ତେବେ ଚରମ ଅବ୍ୟବସ୍ଥା ଭିତରେ ସୁରକ୍ଷାକର୍ମୀଙ୍କ ରହଣୀର ଏ ଭିଜୁଆଲ୍ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ରଥଯାତ୍ରା ଭଳି ବିଶ୍ୱପ୍ରସିଦ୍ଧ ଉତ୍ସବର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାଇଁ କେଉଁ ପରିସ୍ଥିତିରେ ଏଭଳି ଆକୋମଡେସନ୍ କରାଗଲା ? ରହିବାର ସର୍ବନିମ୍ନ ସୁବିଧା ନଥିବା ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ରଖାଯିବାକୁ କିଏ, କିଭଳି ବାଛିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବତନ ପୋଲିସ ଅଧିକାରୀ ମଧ୍ୟ ସୁରକ୍ଷାକର୍ମୀଙ୍କ ପ୍ରତି ଏଭଳି ଅବହେଳାର ନିନ୍ଦା କରିଛନ୍ତି ।

ତେବେ ଭାଇରାଲ ହେଉଥିବା ଏ ଭିଡ଼ିଓ ଏବଂ ଯବାନଙ୍କ ଅବହେଳିତ ରହଣୀ ବ୍ୟବସ୍ଥା ସଂପର୍କରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • PRADEEP MAHANTY