/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688395953.jpg)
Siddhant Mohapatra
କୌଣସି ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇବାକୁ ହେଲେ ପ୍ରଥମ ଘଣ୍ଟାଟେ ବା ଗୋଲଡେନ ଆୱାରର ସଦୁପଯୋଗ ନିହାତି ଦରକାର । ଯାହାକୁ କାମରେ ଲଗାଇ ମରଣ ମୁହଁରୁ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସେଥିପାଇଁ ତାଙ୍କୁ ଏବେ ଚାରିଆଡୁ ସାଧୁବାଦ ମିଳୁଛି ।
ରିଲ୍ ନୁହେଁ ରିୟଲ ଲାଇଫରେ ବି ହିରୋ ଓଲିଉଡ୍ ଅଭିନେତା ସିଦ୍ଧାନ୍ତ । ରାଜରାସ୍ତାରେ ଦେଖାଇଲେ ମାନବିକତାର ପରିଚୟ । ରାସ୍ତା ଦୁର୍ଘଟଣାରେ ଜଣେ ଆହତଙ୍କୁ ମେଡିକାଲ ପହଞ୍ଚାଇ ଜନସାଧାରଣଙ୍କୁ ଦେଇଛନ୍ତି ନୂଆ ବାର୍ତ୍ତା । ରବିବାର ରାଜଧାନୀ ଉପକଣ୍ଠ ପାହାଳ ନିକଟରେ ମଦନ ସ୍ୱାଇଁ ନାମକ ଜଣେ ଆଇନଜୀବୀ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ଏହି ସମୟରେ ସେହି ବାଟେ ଆସୁଥିବା ସିଦ୍ଧାନ୍ତ । ନିଜ ଗାଡ଼ି ଅଟକାଇ ମଦନଙ୍କୁ ହସ୍ପିଟାଲ ନେବା ବ୍ୟବସ୍ଥା କରିଥିଲେ । ମଦନ ନିଜ ବାଇକରେ ଭୁବନେଶ୍ୱର ଆସୁଥିଲେ । ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସିବା ସହ ଫଛପଟୁ ଧକ୍କା ଦେଇଥିଲା ।
ଏପରିକି ମଦନଙ୍କ ବାଇକ ସହ ପାଖାପାଖି ୩ ଶହ ମିଟର ଘୋଷାଡି ନେଇଥିଲା । ପରେ ମଦନ ଗାଡି ଠାରୁ ଅଲଗା ହୋଇ ରାସ୍ତାକୁ ଛିଟିକି ପଡିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହି ସମୟରେ ୨୦ ମିଟର ଦୂରରେ ନିଜ ଗାଡିରେ ଆସୁଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ମଦନଙ୍କୁ ତୁରନ୍ତ ମେଡିକାଲ ପଠାଇ, ଗାଡି ଦୁର୍ଘଟଣା ପରର ଗୋଲ୍ଡେନ ଆୱାରର ସଦୁପଯୋଗ କରିବା ସହ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କଲେ ଆହତଙ୍କ ଜୀବନରକ୍ଷା ହୋଇ ପାରିବ ବୋଲି ଅମୂଲ୍ୟ ବାର୍ତ୍ତା ବି ଦେଇଛନ୍ତି ।
ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ଟି ଚାଲିଯାଇଛି । ମେରୁଦଣ୍ଡରେ ଆଘାତ ଲାଗିଛି । ଏବେ ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମଦନ ସ୍ୱାଇଁ । ହେଲେ ଅଭିନେତା ସିଦ୍ଧାନ୍ତଙ୍କ ପାଇଁ ପରିବାର ଲୋକ ଆଜି ମଦନଙ୍କୁ ଜୀବନ୍ତ ଫେରି ପାଇଛନ୍ତି ବୋଲି କହିବା ସହ ସାଧୁବାଦ ଜଣାଇଛନ୍ତି । ସିଦ୍ଧାନ୍ତ ଓରଫ ମୁନା ଭାଇ କେବଳ ମହାନତାର ପରିଚୟ ଦେଇନାହାନ୍ତି ବରଂ ମଣିଷ ପଣିଆର ବିରାଟ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି ମଦନଙ୍କ ପୁଅ । ଏପଟେ ଅଭିନେତା ସିଦ୍ଧାନ୍ତଙ୍କ ଏଭଳି କାମ ମାନବିକତା, ବିପଦ ବେଳର ବନ୍ଧୁ ବା ଗୁଡ୍ ସାମରିଟାନର ବଡ଼ ଉଦାହରଣ ବୋଲି ଦର୍ଶାଇଛି ରାଜ୍ୟ ପରିବହନ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)