• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇସାରା ଇସାରାରେ ପ୍ରେମ... ଠରାଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି । ଏଠି ଓଠ ନୁହେଁ, ହୃଦୟ କହୁଛି କଥା । କାନ ନୁହେଁ, ମନ ଶୁଣୁଛି ମନର ଭାଷାକୁ ।

ଠାରରେ ଠାରରେ ଭାବ ବିନିମୟ ଆଉ ଇସାରା ଇସାରାରେ ପ୍ରେମ ଦିଆନିଆ । ପ୍ରେମ ପକ୍ଷୀ ମହେଶ୍ୱର ଓ ରୁକ୍ମିଣୀ । ସତ ମିଛ ସଂସାର, ସ୍ୱାର୍ଥପର ଦୁନିଆର ବହୁ ଦୂରରେ ଏମାନଙ୍କ ପ୍ରେମ କାହାଣୀ । କାରଣ, ରୁକ୍ମିଣୀ ଜଣେ ଦିବ୍ୟାଙ୍ଗ, ମୁକ ବଧିର । ଆଉ ସ୍ୱାମୀ ମହେଶ୍ୱର, ରୁକ୍ମିଣୀଙ୍କ ପାଇଁ ସାକ୍ଷାତ ଈଶ୍ୱର ।

୩ ବର୍ଷର ଭଲ ପାଇବା ପରେ ପ୍ରେମିକା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ କରିଛନ୍ତି ମହେଶ୍ୱର । ଏକ ବାହାଘରୁ ଆରମ୍ଭ, ରୁକ୍ମିଣୀ-ମହେଶ୍ୱରଙ୍କ ପ୍ରେମ କାହାଣୀ । ମହେଶ୍ୱରଙ୍କ ବଡ ଭାଇ ବିବାହକୁ ଆସିଥିଲେ ରୁକ୍ମିଣୀ । ଭୋଜିରେ ପ୍ରଥମ ଦେଖାରୁ ପ୍ରେମ... ଅତିଥି ରୁକ୍ମିଣୀଙ୍କୁ ନିଜ ହୃଦୟ ଦେଇ ବସିଥିଲେ ମହେଶ୍ୱର ।

ପରେ ଭିଡିଓ କଲରେ ଠାରରେ ଠାରରେ ମନ ଦିଆନିଆ ସାଙ୍ଗକୁ ଗଭୀର ହୋଇଥିଲା ଭଲ ପାଇବା । ବିବାହ କରି ଏକ ହେବାକୁ ଠାଣି ନେଇଥିଲେ ଉଭୟ । ପରିବାର ଟିକେ ଅମଙ୍ଗ ହେଉଥିଲେ ବି ପୁଅର ନିଃସ୍ୱାର୍ଥପର ପ୍ରେମ, ମନାଇ ନେଇଥିଲା ସଭିଁଙ୍କୁ । ଉଭୟ ପରିବାରର ସହମତିରେ ଏଇ ୪ ତାରିଖରେ ବାଲେଶ୍ବର ବାହାନଗାର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ସମ୍ପନ୍ନ ହୋଇଛି ବିବାହ ।

ଡିପ୍ଲୋମା ପାଠ ସାରି ରାଜ୍ୟ ବାହାରେ ଚାକିରି କରୁଛନ୍ତି ମହେଶ୍ୱର । ଭଲ ରୋଜଗାର ବି ଅଛି । ଆଜିକାଲିର ଅଧିକାଂଶ ପ୍ରେମରେ ପ୍ରତାରଣା ଦେଖିବାକୁ ମିଳୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ହାତ ଧରି ସମାଜକୁ ଭଲ ବାର୍ତ୍ତା ଦେଇଛନ୍ତି ମହେଶ୍ୱର । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।