ରାୟଗଡ଼ା: ରାୟଗଡ଼ା ସହରର ରାମକୃଷ୍ଣନଗର ଝୋଡ଼ିଆ ସାହିରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇଛି। ବସ୍ତିରେ ୫୦ରୁ ଅଧିକ ଦିନ ମଜୁରିଆ ପିଲା ଛୁଆଙ୍କୁ ଧରି କୁଡ଼ିଆରେ ରହୁଥିଲେ ବି ଏଯାଏ କାହାକୁ ଘର ଖଣ୍ଡିଏ ମିଳିନାହିଁ। ବର୍ଷକୁ ବର୍ଷ ପୌର କାର୍ଯ୍ୟାଳୟକୁ ଯାଇ ଆବେଦନ କରୁଥିଲେ ବି ଆଜି ଯାଏ କାହା ଭାଗ୍ୟରେ ଘର ଖଣ୍ଡିଏ ଜୁଟିଲା ନାହିଁ। ଠିକ୍ ସେମିତି, ହରିଜନ ସାହିର ଅନନ୍ତ ଶଗଡ଼ିଆ। ଆବଶ୍ୟକୀୟ କାଗଜପତ୍ର ଦେଇ ଆବେଦନ କରିଥିଲେ ବି ଘର ମିଳିନାହିଁ। ଘର ନଥିବାରୁ ଭଙ୍ଗା କୁଡ଼ିଆରେ ଖରା ବର୍ଷାରେ ନିଜର ଭିନ୍ନକ୍ଷମ ପୁଅ ସହ ସାତ ପ୍ରାଣୀ କୁଟୁମ୍ବକୁ ନେଇ ରହୁଛନ୍ତି ଅନନ୍ତ।
ହରିଜନ ସାହର ଆଉ ଜଣେ ମହିଳା କୁମାରୀ କଣ୍ଡାଗିରୀଙ୍କ ଅବସ୍ଥା ଆହୁରି ଶୋଚନୀୟ। ତିନି ବର୍ଷ ତଳେ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିଲା। ତା ପରେ ପ୍ରଶାସନିକ ଅଧିକାରୀ ଆସି ଦେଖି ଯାଇଥିଲେ ବି ଏ ଯାଏ ତାଙ୍କୁ ଘର ମିଳିଲା ନାହିଁ।
ପୌରସଂସ୍ଥାର ରେକର୍ଡ ଅନୁଯାୟୀ, ରାୟଗଡା ସହରରେ ୨୬ଟି ବସ୍ତି ରହିଛି ଏସବୁ ବସ୍ତିରେ ୫ ହଜାରରୁ ଅଧିକ ଲୋକ ରହୁଛନ୍ତି। ତେବେ ଅଧିକାଂଶ ରେଳବାଇ ଜାଗାରେ ରହୁଛନ୍ତି। ପଚାଶ ବର୍ଷରୁ ଅଧିକ ଦିନ ହେଲା ରହି ଆସୁଥିଲେ ବି ଏମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା କରାଯାଇ ନାହିଁ। କିଛି ଦିନ ପୂର୍ବେ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ଚିହ୍ନଟ ହୋଇଥିଲେ ବି ଏଯାଏଁ ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇନି।
ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ବସ୍ତି ବାସିନ୍ଦା ଘର ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେପଟେ ଚଳିତ ବର୍ଷ ୧୦୩୧ ଜଣଙ୍କୁ ଆବାସ ଯୋଜନାରେ ଘରି ଦିଆଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପୌର ସଂସ୍ଥା ଅଧିକାରୀ କହିଛନ୍ତି। ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁଁ ବସ୍ତିବାସିନ୍ଦା ଘର ପାଇବାରେ ବିଳମ୍ବ ହେଉଛି।
ରିପୋର୍ଟ: ମନୋଜ ପାତ୍ର